ଦୁଇଦିନିଆ ରାଜ୍ୟସ୍ତରୀୟ ଶିଶୁ-ସାହିତ୍ୟ ଲେଖକ ସମାବେଶ ଉଦଯାପିତ

କଟକ- ଶିଶୁ-ସାହିତ୍ୟ ଲେଖକମାନେ ଶିଶୁ-ମନସ୍ତତ୍ତ୍ୱକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହିତ ପରିବର୍ତ୍ତିତ ସମୟ ସହିତ ତାଳଦେଇ ଶିଶୁ-ମନଲାଖି ସାହିତ୍ୟ ସୃଷ୍ଟି କରିବା ଦରକାର ବୋଲି ବିଶିଷ୍ଟ ଶିଶୁ-ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି। ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ‘ରେବା ରାୟ ଫାଉଣ୍ଡେସନ୍’ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ-ସାହିତ୍ୟ ଲେଖକ ସମାବେଶରେ ଯୋଗଦେଇ ବିଶିଷ୍ଟ ଶିଶୁ-ସାହିତ୍ୟିକମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି।
ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡାକ୍ତର ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇଦିନିଆ ସମାରୋହର ଉଦ୍ଘାଟନ, ଆଲୋଚନାଚକ୍ର ଓ ସମ୍ମାନ ପ୍ରଦାନ ପର୍ବକୁ ବିଶିଷ୍ଟ ଶିଶୁ-ସାହିତ୍ୟିକ ତଥା ପ୍ରାକ୍ତନ ପ୍ରଧାନ ଆୟକର ଆୟୁକ୍ତ ଶରତ ଦାଶ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ତରୁଣ କୁମାର ସାହୁ ମୁଖ୍ୟ ଅତିଥି, ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା, ଏକାମ୍ର ଶିଶୁ-ସାହିତ୍ୟ ସଂସଦର ସଭାପତି ଡକ୍ଟର ଶରତ କୁମାର ବିଶ୍ୱାଳ ବରେଣ୍ୟ ଅତିଥି, ବରିଷ୍ଠ ଶିଶୁ-ସାହିତ୍ୟିକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ରାଠୋର ବିଶିଷ୍ଟ ଅତିଥି ଓ ଲୋକସେବା ଫାଉଣ୍ଡେସନ୍ ଅଧ୍ୟକ୍ଷ ହିମାଂଶୁ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ପ୍ରଭାତ’ ଉନ୍ମୋଚିତ ହୋଇଥିଲା । ଏଥିସହିତ ଡକ୍ଟର ସୁନାମଣି ରାଉତଙ୍କୁ ‘ରେବା ରାୟ ସ୍ମୃତି ଶିଶୁ-ସାହିତ୍ୟ ସମ୍ମାନ’ ସୌଭାଗିନୀ ରାୟଙ୍କୁ ‘ରେବା ରାୟ ପ୍ରତିଭା ସମ୍ମାନ’ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ଶଶିପ୍ରଭା ସାମନ୍ତରାୟ ଶିଶୁ-ଉପନ୍ୟାସ ସମ୍ମାନ’, ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ‘ଧ୍ରୁବ ଚରଣ ପଣ୍ଡା ଶିଶୁ-ନାଟକ ସମ୍ମାନ’, ନୀଳମଣି ଚାନ୍ଦଙ୍କୁ ‘ବ୍ରଜକିଶୋର ଶିଶୁ-କବିତା ସମ୍ମାନ’ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ‘ମାୟାଧର ସାହୁ ଶିଶୁ-ଗଳ୍ପ ସମ୍ମାନ’, ପଣ୍ଡିତ ବାସବ କୁମାର ନନ୍ଦଙ୍କୁ ‘ଇଂ. ରବିନାରାୟଣ ମହାପାତ୍ର ସଂଗଠନ ସମ୍ମାନ’, ପ୍ରଦୀପ୍ତଭାନୁ ମହାନ୍ତିଙ୍କୁ ‘ପ୍ରଶାନ୍ତ ମହାନ୍ତି ଶିଶୁ-ପତ୍ରିକା ସମ୍ପାଦନା ସମ୍ମାନ’, ଡକ୍ଟର କୃତ୍ତିବାସ ନାୟକଙ୍କୁ ‘ଡକ୍ଟର ବ୍ରଜମୋହନ ମହାନ୍ତି ପ୍ରବନ୍ଧ ସମ୍ମାନ’, ଅମ୍ବିକା ସ୍ୱାଇଁଙ୍କୁ ‘ସାଧୁ ଚରଣ ରାୟ ଭ୍ରମଣ କାହାଣୀ ସମ୍ମାନ’, ଚନ୍ଦ୍ରମଣି ଭୂୟାଁଙ୍କୁ ଦେବବ୍ରତ କର ଶିଶୁ-ସାହିତ୍ୟ ପ୍ରକାଶକ ସମ୍ମାନ’ ଓ ସାଦ୍ୟାନ୍ତ ଶତପଥୀଙ୍କୁ ‘ଶୁକଦେବ ଷଡ଼ଙ୍ଗୀ ନବ-ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା।ଦ୍ୱିତୀୟ ଦିବସ ରବିବାର ପୂର୍ବାହ୍ନରେ ବରିଷ୍ଠ ଶିଶୁ-ସାହିତ୍ୟିକ ଓ ଗୀତିକାର ପୀତାମ୍ବର ମିଶ୍ରଙ୍କ ସଭାପତିତ୍ୱରେ ଶିଶୁ-କବିତା ପଠନ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଖ୍ୟାତ ଶିଶୁ-ସାହିତ୍ୟିକ ରାଜକିଶୋର ପାଢ଼ୀ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ସଚ୍ଚିଦାନନ୍ଦ କର ମୁଖ୍ୟବକ୍ତା, ପଣ୍ଡିତ ଚୈତନ୍ୟ କୁମାର ସାହୁ ବରେଣ୍ୟ ଅତିଥି ଓ ଡକ୍ଟର ବୈଜୟନ୍ତୀମାଳା ଶତପଥୀ ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥିଲେ । କବିତା ସଂଯୋଜନା କରିଥିଲେ ଗୀତାଞ୍ଜଳି ପୃଷ୍ଟି, ଅଧ୍ୟାପିକା ଡକ୍ଟର ନଳିନୀ ବେହେରା ଓ ଡକ୍ଟର ସରସ୍ୱତୀ ପାତ୍ର। ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ନାଟ୍ୟାଚାର୍ଯ୍ୟ ଶରତ ଚନ୍ଦ୍ର ଥାଟୋଇ ମୁଖ୍ୟ ଅତିଥି, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟବକ୍ତା, ବ୍ରହ୍ମାନନ୍ଦ ମହାନ୍ତି ବରେଣ୍ୟ ଅତିଥି ଓ ମୁରଲୀଧର ଶତପଥୀ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇଥିଲେ।ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୧ ଜଣ ଶିଶୁ-ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏସବୁ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂଯୋଜକ ତପନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ବିଶ୍ୱମିତ୍ରା ମିଶ୍ର, ମୈତ୍ରୀଭୂଷଣ ଖୁଣ୍ଟିଆ, ଚିନ୍ମୟୀ ଆଚାର୍ଯ୍ୟ, ସସ୍ମିତା ପଟ୍ଟନାୟକ, ଚିତ୍ତରଞ୍ଜନ ପତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *