
ପୁଅମାନେ ମନ ଲଗାଇ ପଢ଼ୁଥିଲେ ପାଠ
ଏବେ ବି ମନେଅଛି ପ୍ରଶ୍ନର ଉତ୍ତର
‘ପବନ’ ଠାରୁ ବେଗ ଅଧିକ ‘ମନ’ର
ପୃଥିବୀ’ଠାରୁ ବଡ଼ ଜନନୀ, ଆଉ
‘ଆକାଶ ‘ଠାରୁ ‘ବାପା’ ଅଟେ ଉଚ୍ଚ ।
ବାପାଙ୍କ ଉପସ୍ଥିତ, ପିଲାଙ୍କ କାକୁସ୍ଥ
ବସ୍ତାନି ଖୋଲି ପାଠ-ପଢ଼ା ଜବରଦସ୍ତ
ନ ହେଲେ ବାପାଙ୍କ ନାଲି ଆଖି ଓ ଥାପଡ଼,
ବିଦ୍ୟାଳୟରୁ ପିଲାଏ ତ ଶୁଣିଥିଲେ
ବାପାଙ୍କର ହୃଦୟ ନଡ଼ିଆ ରସ ସଦୃଶ
ଆଉ ବାହ୍ଯ ସ୍ତର ନଡ଼ିଆ-ଖପର ।
ପୁଅମାନେ ମାଡ଼ ଖାଇ
କାନ୍ଦି କାନ୍ଦି ପାଠ ପଢ଼ିଲେ
ଭାଗବତ ପଢ଼ିବାକୁ ବାପା ଚାଲିଗଲେ
ମା’ ପଣତକାନିରେ ପୁଅମାନଙ୍କ ଆଖି
ପୋଛୁ ପୋଛୁ କହିଲେ –
“ବାପା ପରା ଖରା-ବରଷାର ତୁମ ଛତା,
ତୁମେ ବଡ଼ ହେଲେ ଉଚ୍ଚ ହେବ ତାଙ୍କ ମଥା,
ପଢ଼, ମନ ଲଗାଇ ପଢ଼ିଲେ ପାଠ,
ବାପା ମାରିବେ ନାହିଁ ମାଡ଼
ଆଉ ତୁମେ ସୁନାପିଲା ହେବ
ବଡ଼ ମଣିଷ ହେଇ ନାଁ ରଖିବ ।”
ହଁ, ବଡ଼ ମଣିଷ ହୋଇଗଲେଣି ପୁତ୍ର
ବୃଦ୍ଧ ବାପା ଏବେ
ରୋଗଶଯ୍ୟାରେ ଉପନୀତ
ସେଦିନ ଚିକିତ୍ସା କି ଔଷଧ
ନିହାତି ଥିଲା ପ୍ରୟୋଜନ,
ମା’ ନେହୁରା ହେଲେ ତିନି ପୁତ୍ରଙ୍କୁ,
ବଡ଼ କହିଲା, ଆଜି ଆଡମିସନ ତୋ’ ନାତିର
ଇଂଲିଶ୍ ମେଡିୟମ୍ ସ୍କୁଲରେ
ବେଶି ଟଙ୍କା ଦରକାର
ବାପ ଭାବରେ କର୍ତ୍ତବ୍ଯ ରହିଛି ତ ମୋର
ଟାଇମ୍ କେଉଁଠି କାହିଁ, ତୁ ନିଜେ କହ ?
ମଝିଆ କହିଲା, ତା’ ଶାଳୀ ବିଭାଘର
ଭାରିଯାକୁ ନେଇ ଯିବ ଶ୍ବଶୁରଘର
ମୋଟା ଅଙ୍କର ଲାଗିବ ବେଭାର,
ତୁ ନିଜେ ଚିନ୍ତା କର୍ ବୋଉ,
ଭାଇ ତ ଇଞ୍ଜିନିୟର, ଆଉ
ମୁଁ ତ କିରାଣି ମାତର
ଛୋଟୁକୁ କହ, ସେ’ ତ ମାଷ୍ଟର !
ଏହା ଶୁଣି ସାନଭାଇ ହେଲା ଗରଗର
ଆଜି ବଡ଼ ମିଟିଙ୍ଗ୍ ଅଛି ଆମ ଇସ୍କୁଲର
ଏ’ ଠୁ ଜେଡ୍ ସବୁ ଦାୟିତ୍ବ ମୋହର
ଡାକିଲେ ବି ଯମ, ଯିବାକୁ ନାହିଁ ଟିକେ ତର !
ପୁଅମାନଙ୍କର କଥା ଶୁଣୁଥିଲେ ପିତା,
ଭାବୁଥିଲେ କିସ ହେଲା ସାମାଜିକ ପ୍ରଥା !
ସଂସାରରେ ପିତା-ପୁତ୍ର ଏମନ୍ତ ମମତା
କେଉଁ କ୍ରୂର ସଂସ୍କୃତି ଏ ଆଣିଦେଲା ବ୍ଯଥା ?
ସବୁ ଶୁଣି ମାତା ହୋଇଲେ କାତର
ଯେଉଁ ପଣତକାନିରେ ପୋଛୁଥିଲେ
ପୁତ୍ର ଆଖି-ଲୁହ
ସେହି ପଣତରେ ମା’ ଆଜି ପୋଛୁଅଛି
ନିଜ ଲୁହ ଆଉ କୋହ !
ସାରାଦିନ/ସାରାରାତି ଡହଳ-ବିକଳ
ରାତି ପାହିଲାରୁ ଜାଣିଲେ ସନ୍ତାନ
ଅନ୍ତ ହୋଇଛି ବାପାଙ୍କର ଅନ୍ତିମ ନିଃଶ୍ୱାସ,
ମା’ର ମୁଣ୍ଡପିଟା କାନ୍ଦଣାରେ
ପୁଅମାନଙ୍କ ନୟନରେ ଅଶ୍ରୁ ଝରଝର…
ସତେ ସେମାନେ ଆଜି କ’ଣ ଅଜାତଶତୃ
ଖୋଜିବେ ପିତୃତ୍ୱର ବିମ୍ବିସାର !
ଅଣ୍ଡାଳିବେ ଖପୁରି ଭିତରେ ଲୁକ୍କାୟିତ
ସୁମଧୁର ନଡ଼ିଆର ରସ,
ପତ୍ନୀ ଆମ୍ଭ କହିବ କି (?) ତା’ ପୁତ୍ରକୁ
ବାପ ତବ ଛତା ଅଟେ ଖରା-ବରଷାର,
ପିଲାଙ୍କୁ ପ୍ରଶ୍ନ ବାଢ଼ିବ କିଏ (?)
କିଏ ଉଚ୍ଚ (?), ବାପା ନା’ ଆକାଶ ???