
ଛତ୍ରପୁର : ୨୪.୧୨.୨୪
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି ମଙ୍ଗଳବାର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଲଘୁଚାପ ଜନିତ ଅଦିନିଆ ଲଗାଣ ବର୍ଷାରେ ଛତ୍ରପୁର ବ୍ଲକର ଅଧିକାଂଶ ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କଟା ଧାନ ଉପରେ ବର୍ଷା ପାଣି ଜମି ରହିଛି, ଅକଟା ଧାନ ଗଛ ବିଲରେ ଥିବା ପାଣିରେ ପଡି ରହି ନଷ୍ଟ ହୋଇଛି, ଧାନ ଗଦା କରାଯାଇଥିବା ସ୍ଥାନରେ ଉପରେ ଓ ତଳେ ବର୍ଷା ପାଣି ପଶି ନଷ୍ଟ ହୋଇଅଛି । ଫଳରେ ଧାନର ରଙ୍ଗ ଏବଂ ମାନ ନଷ୍ଟ ହୋଇଯାଇଥିବାର କହିଛନ୍ତି । ଚାଷୀ ବର୍ଷତମାମ କଷ୍ଟାର୍ଜିତ ଫସଲ ନଷ୍ଟରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥି ସହ ଅର୍ଥକାରୀ ଫସଲ ଚିନାବାଦାମ, କଞ୍ଚା ଲଙ୍କା, ଡାଲି ଜାତୀୟ ଫସଲ ମୁଗ, ବିରି, ଓ ପନିପରିବା ଫସଲ ଆଦି ସମ୍ପୂର୍ଣ ନଷ୍ଟ ହୋଇଯାଇଅଛି । ଏଣୁ ଆପଣ ଆମ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇ ସହାୟତା କରିବା ନିମନ୍ତେ ଦାବିପତ୍ରରେ ଦର୍ଶାଇଛନ୍ତି। ଏହା ସହତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ଏକର ପ୍ରତି ୨୫ ହଜାର ଟଙ୍କା କ୍ଷତି ପୂରଣ ଅର୍ଥ ପ୍ରଦାନ ଓ ଫସଲ ବୀମା ଭୁକ୍ତ ସମସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ନିମନ୍ତେ ଦାବି କରିଛନ୍ତି। ସେହିପରି ଅଦିନିଆ ବର୍ଷାରେ ପ୍ରଭାବିତ ଧାନର ମାନ ନଷ୍ଟ ହେତୁ FAQ ମାନ ଦଣ୍ଡରେ କୋହଳ କରାଯାଇ ପଞ୍ଜୀକୃତ ଚାଷୀଙ୍କ ସମସ୍ତ ଧାନ କିଣିବା ବ୍ୟବସ୍ଥା କରାଯିବା ସହିତ ଟୋକେନ ଅବଧୂ ବୃଦ୍ଧି କରାଯିବା ଓ ରବି ଫସଲ ପାଇଁ ମୁଗ, ବିରି, ଚିନାବାଦାମ ଆଦି ପନିପରିବା ବିହନ ଯୋଗାଇ ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ରୁଣ ଛାଡ କରାଯିବା ଓ ରବି ଫସଲ ଋତୁରେ ଜଳସେଚନ ପାଇଁ ବିଦ୍ୟୁତ କର ଛାଡ ବ୍ୟବସ୍ଥା କରାଯିବାକୁ ଦର୍ଶାଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, କୃଷି ସମବାୟ ବ୍ୟାଙ୍କ ଡାଇରେକ୍ଟର ଦୁର୍ଯୋଧନ ପରିଡ଼ା, ପୂର୍ବତନ ସମିତି ସଭ୍ୟ ଏନ୍ ଦୁର୍ଯୋଧନ ରେଡ୍ଡୀ, ଟାଙ୍ଗଣାପଲ୍ଲି ସରପଞ୍ଚ ବି ସୁଦାମ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ, ଶଙ୍କର ରେଡ୍ଡୀ, ମାଗୁଣି ବିଷୋୟୀ, ଜ୍ୟେତିରଞ୍ଜନ ସାହୁ, ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ନିରଞ୍ଜନ ସ୍ୱାଇଁ, ରବିନ୍ଦ୍ର ରାଉଳଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।