
ଛତ୍ରପୁର : ୨୪.୧୨.୨୪
(ମିଥୁନ ବାରିକ୍)
ଛତ୍ରପୁର : ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କଞ୍ଚଣା ଗ୍ରାମ ପଞ୍ଚାୟତର ପୁସ୍ତପୁର ଗ୍ରାମରେ ଦୀର୍ଘ ୫୦ ରୁ ୬୦ ବର୍ଷ ହେବ ଅନାବାଦି ଜାଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଅଛନ୍ତି। ସେମାନେ ଦୀର୍ଘ ଦିନ ଧରି ଘର ଡିହ ପଟ୍ଟା ପ୍ରଦାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରୁ ନାହିଁ। ଯାହା ଫଳରେ ସେମାନଙ୍କ ପରିବାର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବା ସହ ସେମାନଙ୍କ ପିଲାମାନଙ୍କ ପାଠପଢ଼ା, ଚାକିରି କ୍ଷେତ୍ରରେ ଏବଂ ଜାତିଗତ ପ୍ରମାଣପତ୍ର ଆଦିରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର , ଏଣୁ ଅନ୍ୟତ୍ର ଜାଗା କିଣି ଘର କରିବା ସେମାନଙ୍କ ପକ୍ଷେ ଅସମ୍ଭବ। ଏହା ସହ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ଜାଗାର ସିସ୍ତୁ ମଧ୍ୟ ବାନ୍ଧି ଆସୁଥିଲେ, କିନ୍ତୁ ୨୦୨୧ ମସିହା ପର ଠାରୁ ଆଉ ସିସ୍ତୁ ମଧ୍ୟ ବନ୍ଧା ହୋଇ ପାରୁନାହିଁ। ଏଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରି ଘର ଡିହ ପଟ୍ଟା ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।