କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା
କ୍ଷେତରେ ଧାନ, ଚିନ୍ତାରେ ଚାଷୀ

ଛତ୍ରପୁର : ୨୧.୧୨ ୨୪
(ମିଥୁନ ବାରିକ୍)
ଛତ୍ରପୁର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଂଜାମରେ ଗତ ୨ ଦିନ ଯାଏଁ କୋହଳା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଛି। ଶୁକ୍ରବାର ଠାରୁ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ୨୧ ଓ ୨୨ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଓ ଗଂଜାମ ବ୍ଲକରେ ଗତ ଦୁଇଦିନ ହେଲା ପାଗ ମେଘୁଆ ସାଙ୍ଗକୁ ମଧ୍ୟମ ଧରଣର ଝିପି ଝିପି ବର୍ଷା ଲାଗି ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ ମୋଟ ୧୨ ହଜାର ୪୬୨ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣାପଡିଛି l ବର୍ତ୍ତମାନ ସବୁ ଜମିରେ ଧାନ ପାଚି ଗଲାଣି l କିଛି ଚାଷୀ ଧାନ ଅମଳ କରି ଘରକୁ ଧାନ ନେଇ ଆସିଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଚାଷୀଙ୍କ ଧାନ ଜମିରେ ରହିଥିବା ଦେଖିବାକୁ ମିଳିଛି l ଯଦି ଅଧିକ ବର୍ଷା ହେଇଯାଏ ତାହେଲେ ପାଚିଲା ଧାନ ନଷ୍ଟ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ଏଥିସହ ମେଘୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି l ଚାଷ ଜମିରେ ପଡ଼ି ରହିଥିବା ଧାନ କୁ ଉଠାଇବାକୁ ଲାଗି ପଡିଛନ୍ତି ଚାଷୀ ଓ ତାଙ୍କ ପରିବାର । ତରବରିଆ ଭାବେ ଧାନ ବାନ୍ଧି ବୋହିବା ସହିତ ଧାନ ଗଦା କରି ସାଇତି ରଖିବାରେ ଲାଗି ପଡ଼ିଛନ୍ତି ଚାଷୀ ପରିବାର । ଗୋଟିଏ ପଟେ ଚାଷ ଜମିରେ ପଡ଼ିଥିବା ଧାନକୁ ନେଇ ଚାଷୀକୁଳ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଏଯାବତ୍ ଗଞ୍ଜାମରେ ମଣ୍ଡି ଖୋଲିବାର ନାଁ ଧରୁନି । ଯେତିକି ଅମଳ ହୋଇଛି ଧାନ କୁ ଧରି ଚାଷୀ ବିକ୍ରୀ ଚିନ୍ତାରେ ବସିଛି । ଖରିଫ୍ ଧାନ କିଣିବାକୁ ସରକାରୀ ଧାନ ମଣ୍ଡି ଖୋଲି ନଥିବାରୁ ମଉକା କୁ ଚାତକ ପରି ଚାହିଁ ବସିଛନ୍ତି ଆନ୍ଧ୍ର ଧାନ ବେପାରୀ ଓ ଆନ୍ଧ୍ର ମିଲରଙ୍କ ଦଲାଲ । ତେବେ ଶୀଘ୍ର ଧାନ ମଣ୍ଡି ଖୋଲିବା ପାଇଁ ସ୍ଥାନୀୟ ଅଂଚଳର ଚାଷୀ ଦାବୀ କରିଛନ୍ତି ।