ବାଲେଶ୍ୱର ରେଳ ଷ୍ଟେସନରେ ନବନିର୍ମିତ ପାଦଚଲା ଓଭରବ୍ରିଜକୁ ଉଦଘାଟନ କଲେ ମାନନୀୟ ରେଳମନ୍ତ୍ରୀ

ଭୁବନେଶ୍ୱର, ୭ ଡିସେମ୍ବର:
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ରେଳ ଷ୍ଟେସନ ଠାରେ ତିନି ଫୁଟ ଚଉଡ଼ା ଏକ ନବନିର୍ମିତ ପାଦ ଚଲା ଓଭରବ୍ରିଜକୁ ଉଦଘାଟନ କରିଛନ୍ତି । ଗତ ଫେବୃଆରୀ ମାସରେ ରେଳ ମନ୍ତ୍ରୀଙ୍କ ଗସ୍ତ ପରେ ଏହି ପାଦଚଲା ଓଭରବ୍ରିଜ୍‌କୁ ମଞ୍ଜୁର କରାଯାଇଥିଲା। ବର୍ତ୍ତମାନ ୩କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଚଳିତ ମାସ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଦକ୍ଷିଣ ପୂର୍ବ ରେଳବାଇ ସର୍ବଦା ଅତିରିକ୍ତ ଯାତ୍ରୀ ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନେଇଛି । ଷ୍ଟେସନ ଭିତରେ ଯାତ୍ରୀଙ୍କ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ଏଫଓବି ଯୋଜନା କରାଯାଇଥିଲା । ଏହି ନୂତନ ଫୁଟ୍ ଓଭର ବ୍ରିଜ୍ ଉଦଘାଟନ ହେବା ପରେ ଯାତ୍ରୀମାନେ ସୁରକ୍ଷିତ ଓ ସୁବିଧାରେ ଗୋଟିଏରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ସୁବିଧାରେ ଯାତାୟାତ କରିପାରିବେ। ନବନିର୍ମିତ ଓଭରବ୍ରିଜ୍‌ ୧,୨,୩ ଓ ୪ ନମ୍ବର ପ୍ଲାଟଫର୍ମକୁ ସୁବିଧାରେ ଯୋଡ଼ିଛି ।
ସୂଚନାଯୋଗ୍ୟ ବାଲେଶ୍ୱର ଷ୍ଟେସନ ହାଓଡ଼ା-ଚେନ୍ନାଇ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ହୋଇଥିବା ବେଳେ ଏହା ସମଗ୍ର ଭାରତରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଉଚ୍ଚାକାଂକ୍ଷୀ ଅମୃତ ଭାରତ ଷ୍ଟେସନ ଯୋଜନାର ଏକ ଅଂଶବିଶେଷ । ଅମୃତ ଭାରତ ଷ୍ଟେସନ ଯୋଜନାରେ ବାଲେଶ୍ୱର ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା କେନ୍ଦ୍ର ରୂପରେ ପରିଣତ କରାଯାଉଛି ଯେଉଁଥିରେ ପାଖାପାଖି ୨୦୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *