ଜାତୀୟ ଆମ୍ବ ଦିବସ ୨୨ ଜୁଲାଇ

ଆମ୍ବ ଗଛ ଆଉ ଆମ୍ବର ମାହାତ୍ମ୍ଯ
ବୁଝାଇ କହିଲେ ଗୁରୁ,
ପିଲାମାନେ ମନ ଧ୍ୟାନରେ ଶୁଣିଲେ
ପାଠପଢ଼ା ଆରମ୍ଭରୁ ।

ଆମରି ଭାରତ ମହାନ ଦେଶର
ଆମ୍ବ ଯେ’ ଜାତୀୟ ଫଳ,
ଅର୍ଥକର ବୃକ୍ଷ ଭାବରେ ରହିଛି
ବେପାରୀମାନଙ୍କ ବଳ ।

ଆସିଲେ କୁହୁଡ଼ି ଆମ୍ବ ବଉଳଇ
ଗଛ ଦିଶେ ମନଲୋଭା,
ଦୋଳ-ପରବରେ ଯାଦବ କୁଳରେ
ରାଧାକୃଷ୍ଣ ପୂଜା ଶୋଭା ।

ଆମ୍ବ ଝଟା-ପତ୍ର ଜାଳେଣି ଆମ୍ଭର
ପଟାର ବହୁତ ମୂଲ,
କବାଟ ଝରକା ଖଟ କି ପଲଙ୍କ
ତା’ ପଟାରେ ହୁଏ ଠୁଳ ।

କଞ୍ଚା ଆମ୍ବରେ ତ ଖଟା ଓ ଆଚାର
ପାଚିଲାରେ ଆମ୍ବ-ଲସି,
ରଜ-ପରବ କି ଭୋଜି-ଭାତବେଳେ
ମନକୁ ତୋଷେ ହରଷୀ ।

ଖଟା-ମିଠା ସ୍ବାଦ ଭାବରେ ନାମିତ
ଆମ୍ବ ବିଭିନ୍ନ ପ୍ରକାର,
ଆମ୍ବ ଗଛରେ ଯେ’ ବଗିଚା କରିଛି
ତା’ ଚଳଣି କଚେବାର ।

ଏତେ କଥା ପରେ ଜାଣିଛ କି ପିଲେ
ଆମ୍ବ ଡାଳୁଆର କଥା,
କଳସ ପଇଡ଼ ମଝିରେ ରହିଣ
ଶୁଭ କର୍ମ କରେ ଯଥା ।

ଶମ୍ଭୁନାଥ ଦାସ
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର/

Leave a Reply

Your email address will not be published. Required fields are marked *