ମାନବ ଜୀବନ ଜଟିଳ ଦୁଃସହ
ଚଳଣିରେ ଚାପ-ତାପ,
ବୃତ୍ତି ବ୍ଯବସାୟ ଅବିଶ୍ରାନ୍ତ କାର୍ଯ୍ୟ
ବୋଝରେ ଚିନ୍ତା ଅମାପ ।
ଉପଭୋଗମୟ ଜୀବନ ସୌରଭ
ଚାପରେ ନଷ୍ଟ ବିଭ୍ରାନ୍ତ,
ସାମୟିକ ମୁକ୍ତି ସ୍ଥିରତାରେ ଶାନ୍ତି
ମନ – ଚଇତନ ତୁଷ୍ଟ ।
ସତେଜତା ପଥ ବିଶ୍ରାମ ଆରାମ
କ୍ରୀଡ଼ା-କୌତୁକ ଉତ୍ସବ,
ସୁସ୍ବାଦ ପାନୀୟ ସତେଜକରଣେ
ହୃଦୟେ ଉଚ୍ଛ୍ବାସ ଦମ୍ଭ ।
ପ୍ରତିଦିନ କାର୍ଯ୍ୟ ବୋଝ ଓ ବ୍ଯସ୍ତତା
ତା’ପରେ ବିଶ୍ରାମ ଶାନ୍ତ,
ଚାହା କଫି କ୍ଷୀର ଦହି ଫଳରସ
ପାନୀୟ ଉଲ୍ଲାସ ଚିତ୍ତ ।
ଆଖୁରସ ଅବା ଲେମ୍ବୁ-ସରବତ
ପଇଡ଼ ଜଳ ମଧୁର,
ଏବେ ତ ବିଭିନ୍ନ କମ୍ପାନୀର ଥଣ୍ଡା
ପାନୀୟର ବ୍ଯବହାର ।
ଦୁଃଖ-କଷ୍ଟ ଶ୍ରମ ଦୁଶ୍ଚିନ୍ତା ବିନାଶ
ଫୂର୍ତ୍ତି ଲଭେ ସାମୟିକ,
ଧୀର-ସ୍ଥିର ଶାନ୍ତ ଚାପଗ୍ରସ୍ତ ନାଶ
ସ୍ଥାୟୀ ଚିତ୍ତ ବିନୋଦକ ।
ସତେଜତା ବାର୍ତ୍ତା ନିରୋଗ ସୁସ୍ଥତା
କର୍ମ ଧର୍ମରେ ବିବେକ,
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ମମତାରେ
ସୁଖ-ଶାନ୍ତିର କୁହୁକ ।
ସତେଜ ଦିବସ ଜୁଲାଇ ମାସର
ଯେ’ ଚତୁର୍ଥ ଗୁରୁବାର,
ଲକ୍ଷ୍ମୀ ସରସ୍ଵତୀ ଉଭୟ ଆଶିଷେ
ସମୃଦ୍ଧି ସୃଜେ ସଂସାର ।
ପ୍ରତି ଜନଗଣେ ମୃଦୁ ପାନୀୟରେ
ଲଭନ୍ତୁ ଫୂର୍ତ୍ତି ସନ୍ତୋଷ,
ସତେଜ ଦିବସେ ପ୍ରୀତି ସମ୍ଭାଷଣେ
କବି ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା