• ଗଛ ଲଗାଇବା – ସୁସ୍ଥ, ସବୁଜ ଓ ସ୍ୱଚ୍ଛ କଟକ ଗଢ଼ିବା: ସୁବାସ ସିଂହ
• ଧରିତ୍ରୀ ମା’ର ସେବା କରିବାର ଅବସର ‘ବନ ମହୋତ୍ସବ’: ସିଦ୍ଧାର୍ଥ ଶଙ୍କର ସାହୁ
• ମା’ଙ୍କ ପାଇଁ ଗଛଟିଏ ନିଶ୍ଚୟ ଲଗାନ୍ତୁ: ଇଂ ରଶ୍ମିତା ପ୍ରିୟଦର୍ଶିନୀ
• ଚାରା ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସ୍କୁଲ ଛାତ୍ରଛାତ୍ରୀ






କଟକ, ୦୧ ଜୁଲାଇ ୨୦୨୬: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କଟକ ମହାନଗର ନିଗମ ପକ୍ଷରୁ ବନ ମହୋତ୍ସବ ୨୦୨୬ ପାଳନ କରାଯାଇଛି। ବୁଧବାର ଐତିହାସିକ ବାଲିଯାତ୍ରା ପଡ଼ିଆର କଟକ ଇନ୍ କଟକ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା, ସହକାରୀ ବନ ସଂରକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ରଶ୍ମିତା ପ୍ରିୟଦର୍ଶିନୀ, ସହରାଞ୍ଚଳ ବନଖଣ୍ଡ ଅଧିକାରୀ ଶ୍ରୀମତୀ ଶର୍ମିଲୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
ଏହି ଅବସରରେ ମହାନଗର ନିଗମର ସମସ୍ତ ଅଧିକାରୀ, ସିଡିଏ ସେକ୍ଟର-୬ ଡିଏଭି ସ୍କୁଲ, ପଟ୍ଟାପୋଲ ସରକାରୀ ତେଲୁଗୁ ସ୍କୁଲର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗଦେଇ ପରିବେଶ ସୁରକ୍ଷା ଓ ସବୁଜ କଟକ ଗଠନ ପାଇଁ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ। ଏକ ସୁସ୍ଥ ପରିବେଶ ଗଠନ ପାଇଁ ଆମମାନଙ୍କର କର୍ତ୍ତବ୍ୟ ପାଳନ ନିମନ୍ତେ ଏକ ସମୂହ ଶପଥପାଠ କରାଯାଇଥିଲା। ଏହାପରେ ସମସ୍ତେ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ।
ଗଛ ନାହିଁ ତ ଜୀବନ ନାହିଁ। ତେବେ କେବଳ ଗଛ ଲଗାଇଲେ ହେବ ନାହିଁ ବରଂ ଏହାର ଯତ୍ନ ନେବା ଆମର ଦାୟିତ୍ୱ। ତେଣୁ ଆମେ ସମସ୍ତେ ନିଶ୍ଚୟ ଗଛ ଲଗାଇ ଆମ କଟକକୁ ଏକ ସୁସ୍ଥ, ସବୁଜ ଓ ସ୍ୱଚ୍ଛ କଟକ ଭାବେ ଗଢ଼ିବା ବୋଲି ମେୟର ଶ୍ରୀ ସୁବାସ ସିଂହ କହିଥିଲେ।
ଧରିତ୍ରୀ ମା’ର ସେବା କରିବାର ଏକ ବିଶେଷ ଅବସର ହେଉଛି ଏହି ‘ବନ ମହୋତ୍ସବ’। ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଏ। କଟକ ମହାନଗର ନିଗମ ପକ୍ଷରୁ ଏହି ସ୍ୱତନ୍ତ୍ର ବନ ମହୋତ୍ସବ କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ରୟାସ। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବା ଆମ ଭବିଷ୍ୟତ ପିଢ଼ିକୁ ପରିବେଶ ସୁରକ୍ଷା ପ୍ରତି ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ ବୋଲି କହିଥିଲେ, ସହକାରୀ ବନ ସଂରକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ।
ଗଛ ଲଗାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଗଛ ଲଗାଇବା ପାଇଁ ଏକ୍ ପେଡ୍ ମା’କେ ନାମ୍ ଅଭିଯାନ ଜରିଆରେ ବାର୍ତ୍ତା ଦେଇଛନ୍ତି। ତେଣୁ ଆମେମାନେ ନିଜ ମା’ଙ୍କ ସ୍ମୃତିରେ ଗଛଟିଏ ନିଶ୍ଚୟ ଲଗାଇବା ଦରକାର ବୋଲି କହିଥିଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ରଶ୍ମିତା ପ୍ରିୟଦର୍ଶିନୀ।
କାର୍ଯ୍ୟକ୍ରମରେ ପରିବେଶ ବିଜ୍ଞାନୀ ସୁଶ୍ରୀ କାଞ୍ଚନବାଳା ବିହାରୀ, ସହକାରୀ ପରିବେଶ ବିଜ୍ଞାନୀ ଶ୍ରୀ ବିଶ୍ୱନାଥ ସେଠୀ ଓ ସୁଭାଶିଷ ମାହାରୀ ପ୍ରମୁଖ ସାମିଲ ହୋଇ ପରିବେଶ ସୁରକ୍ଷା ଲାଗି ଗଛର ଆବଶ୍ୟକତା ଏବଂ ଉପକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଏଥିରେ କଟକ ମହାନଗର ନିଗମର କର୍ପୋରେଟର ଶ୍ରୀମତୀ ଏ ଶ୍ରୀଦେବୀ, ଶ୍ରୀମତୀ ବନଲତା ପ୍ରଧାନ, ଶ୍ରୀମତୀ ଆରତୀ ସାହୁ ପ୍ରମୁଖ ସାମିଲ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଅତିରିକ୍ତ କମିଶନର ଶ୍ରୀମତୀ ସୋନା ଟୁଡୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବେ ବେଳେ କମିଶନର ସୁଶ୍ରୀ କିରଣଦୀପ୍ କୌର ସହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଆସିଷ୍ଟାଣ୍ଟ କମିଶନର ଶ୍ରୀମତୀ ସୀମା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।