
ପୁରୀ, (ବଳରାମ ତ୍ରିପାଠି): ଛତାର ସେବକ ରଞ୍ଜିତ୍ କରଙ୍କୁ ଧ୍ଵଜା ବନ୍ଧା ରସିଦ୍ ଜାଲିଆତିରେ ନିଲମ୍ବନ କରାଯାଇଛି । ଶ୍ରୀକର ହାଇଦ୍ରାବାଦର ଭିଜେନ୍ଦ୍ର କେଡିଆଙ୍କୁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ସାଙ୍ଗରେ ଆଣି ଜାଲ ରସିଦ୍ ଦେଖାଇ ୧୪ହାତି ଧ୍ଵଜା ବନ୍ଧାଯିବା ସମ୍ପର୍କରେ ଅନୁସନ୍ଧାନ ବେଳ ଶ୍ରୀକେଡିଆଙ୍କ ନାମ ଧ୍ବଜା ବନ୍ଧା ବାବଦକୁ ଫିସ୍ ଦାଖଲ ହୋଇନଥିବା ଜଣାପଡ଼ିବା ଏବଂ ଶ୍ରୀକର ଜାଲ ରସିଦ୍ ଦେଇଥିବା ଶ୍ରୀମନ୍ଦିର ସୁପରଭାଇଜରଙ୍କ ନିକଟରେ ସ୍ଵୀକାର କରିଥିବାରୁ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀ କରଙ୍କୁ କୈଫିୟତ୍ ତଲବ କରାଯାଇଥିଲା।
କୈଫିୟତ୍ ସନ୍ତୋଷ ଜନକ ନ ହେବାରୁ ଶ୍ରୀକରଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଆଦେଶ ଆଜିଠାରୁ ଛଅ ମାସ ବଳ ବତ୍ତର ରହିବ ବୋଲି ଆଦେଶରେ ଉଲ୍ଲେଖ ରହିଛି । ଏହି ଅବଧି ମଧ୍ୟରେ ଶ୍ରୀକର କୌଣସି ସେବକଙ୍କୁ ପ୍ରଲୋଭିତ କିମ୍ବା ଧମକ ଚମକ ଦେବା ପରିଦୃଷ୍ଟ ହେଲେ ତାଙ୍କର ନିଲମ୍ବନ ଅବଧିକୁ ବୃଦ୍ଧି କରାଯାଇ କଠୋରତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶ ହୋଇଛି । ଶ୍ରୀମନ୍ଦିରରେ ଏପରି କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ।