
ପୁରୀ, (ବଳରାମ ତ୍ରିପାଠି):ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ସାଇବର ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଦଇତାପତିଙ୍କ ପୁଅ ଶ୍ରଦ୍ଧାନନ୍ଦ ଦାସମହାପାତ୍ର ଆଜି ଜାମିନ ପାଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏହି ଘଟଣାରେ ଶ୍ରଦ୍ଧାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିବା ଅଭିଯୋଗକାରିଣୀ ଯୁବତୀ କୋର୍ଟରେ ଆପୋସ ବୁଝାମଣା କରିଥିବା ଜଣାପଡ଼ିଛି। ଯୁବତୀଙ୍କ ଆପୋଷ ବୁଝାମଣା ରିପୋର୍ଟ ଆଧାରରେ ଶ୍ରଦ୍ଧାନନ୍ଦଙ୍କୁ ଜାମିନ ମିଳିଥିଲା। ତେଣୁ ଆଜି ସେ ଜାମିନ ପାଇବା ପରେ ଘରକୁ ଫେରିଥିବା ସାଇବର ଥାନା ଡିଏସ୍ପି ରାଜ କୁମାର ପରିଡ଼ା କହିଛନ୍ତି।
କୋର୍ଟରେ ଆପୋସ ବୁଝାମଣା ରିପୋର୍ଟ ଦାଖଲ କଲେ ଯୁବତୀ
ପ୍ରକାଶ ଜେ ଶ୍ରଦ୍ଧାନନ୍ଦ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ନେଇ ଗତ ଜାନୁଆରି ୨୪ ଦିନ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । କୋର୍ଟ ଶ୍ରଦ୍ଧାନନ୍ଦକୁ ବିଚାର ବିଭାଗୀୟ ହାତକୁ ପଠାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହଠାତ ଶ୍ରଦ୍ଧାନନ୍ଦ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଏଠାରେ ପୁଲିସ ତାଙ୍କୁ ନଜରବନ୍ଦୀ ରଖିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଯୁବତୀ ଜଣକ କୋର୍ଟରେ ଆପୋଷ ବୁଝାମଣା ରିପୋର୍ଟ ଦାଖଲ କରିବାରୁ ଶ୍ରଦ୍ଧାନନ୍ଦଙ୍କୁ ଜାମିନ ମିଳିଯାଇଥିଲା।
ଅନ୍ୟପଟେ ପୁଲିସ ଜବତ କରିଥିବା ଶ୍ରଦ୍ଧାନନ୍ଦଙ୍କର ମୋବାଇଲ ଫୋନ୍କୁ ଜବତ କରି ଫୋରେନସିକ୍ ଲାବୋରେଟୋରିକୁ ପଠାଇଦେଇଛି । ଶ୍ରଦ୍ଧାନନ୍ଦଙ୍କ ମୋବାଇଲ ଫୋନ୍ରୁ ମିଳିଥିବା ଅନେକ ଆପତ୍ତିଜନକ ଭିଡିଓ ଓ ଫଟୋକୁ ନେଇ ଲାବୋରେଟୋରିରେ ଅଭିଯୋଗର ସତ୍ୟତାକୁ ନେଇ ଯାଞ୍ଚ କରିବା ମାମଲାର ବିଚାର ଚାଲିବା ସମୟରେ କୋର୍ଟରେ ଏହି ଲାବୋରେଟୋରି ରିପୋର୍ଟ ପୁଲିସ ଦାଖଲ କରିବ ସେ ସମୟରେ ଅଭିଯୋଗକାରିଣୀଙ୍କ ବୟାନ ଓ ଲାବୋରେଟୋରିର ରିପୋର୍ଟ ମେଳ ଖାଉଛି କି ନାହିଁ ଦେଖିବାକୁ ବାକି ରହିଛି | ମୋବାଇଲ ଫୋନ୍ରୁ ମିଳିଥିବା ଆପତ୍ତିଜନକ ଭିଡିଓରେ ଯୁବତୀଙ୍କ ସହମତି ଥିଲା କି ନାହିଁ, ତା’ ଉପରେ ତଦନ୍ତ ନିର୍ଭର କରୁଛି ।