
କବିତା ଗୋ’ ତୁମେ ବାରମାସୀ ଆମ୍ବ
ଗ୍ରୀଷମରେ ରମ୍ୟ-ରସାଳ,
କୁହୁକ କୁସୁମ ମହୁଲ ମାଦକ
ଖରାବେଳ ଦହି-ପଖାଳ ।
କବିତା ଗୋ’ ତୁମେ ବଧୂ ବର୍ଷାରାଣୀ
ନାଲି ଓଢ଼ଣିର ମଣ୍ଡନ,
ପ୍ରେମ-ପୂଜାରିଣୀ ପୁଣ୍ଯ ବୈତରଣୀ
ରଜ-ପରବର ଚନ୍ଦନ ।
କବିତା ଗୋ’ ତୁମେ ସରାଗ ଶ୍ରାବଣ
ବେଙ୍ଗ-ବେଙ୍ଗୁଲୀର ସଂଗୀତ,
ସବୁଜ ସୁନ୍ଦରୀ ଭାଦ୍ର – ଭାଲୁକୁଣୀ
ତରୁଣୀ ତନୁରେ ଶୋଭିତ ।
କବିତା ଗୋ’ ତୁମେ ଶାରଦୀୟ ପ୍ରୀତି
ଶୁଭେଚ୍ଛା ଉତ୍ସବ ମୁଖର,
ଜୟ ଦୁର୍ଗା କାଳୀ ଶୁଭ ଦୀପାବଳି
ସଂସ୍କୃତିର ଭାବ କର୍ପୂର ।
କବିତା ଗୋ’ ତୁମେ ହେମନ୍ତ ହରିଣୀ
କସ୍ତୁରୀ ସୁଗନ୍ଧ ଚମକ,
ଶୀତ ମାଉସୀର କୋମଳ ଚଦର
ରଜନୀଗନ୍ଧାର ମହକ ।
କବିତା ଗୋ’ ତୁମେ ଗିରି ନିର୍ଝରିଣୀ
କୁଳୁକୁଳୁ ନାଦ କୁମୁଦ,
ବସନ୍ତ ମଞ୍ଜରୀ ଚୋରା-ଚଇତାଳି
ଅଭିର ମଞ୍ଜୁଳ ମୁକୁନ୍ଦ ।
କବିତା ଗୋ’ ତୁମେ ବହୁରୂପୀ ବଧୂ
ଚମକ ଚାନ୍ଦିନୀ ଚପଳ,
ଷଡ଼ଋତୁ ଭାବ – ପ୍ରୀତିର ପାବନ
ଶୟନ-ଭଞ୍ଜନ ଶୟଳ ।
ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା