ସିରଜିନା ସାହିତ୍ୟ ଅନୁଷ୍ଠାନ ତରଫରୁ ରଙ୍ଗବତୀ ଦିବସ ପାଳିତ

ପଦ୍ମପୁର ଉପଖଣ୍ଡ :- (କ ବ୍ୟୁ ) ଫକୀର ଦୀପ
ସାରା ବିଶ୍ୱରେ ଜଣାଶୁଣା ସମ୍ବଲପୁରୀ ଗୀତ ରଙ୍ଗବତୀ ଚାହାଲକରିଛି l ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ସଂସ୍କୃତି ଓ ଲୋକସଙ୍ଗୀତକୁ ଆଗେଇ ନେବାର ପ୍ରାୟସରେ ପଦ୍ମପୁର ସିରଜିନା କାର୍ଯ୍ୟାଳୟରେ ଆଜି ରଙ୍ଗବତୀ ଦିବସ ଭବ୍ୟ ଓ ଉତ୍ସାହମୟ ପରିବେଶରେ ପାଳନ କରାଯାଇଅଛି । କାର୍ଯ୍ୟକ୍ରମରେ ସାହିତ୍ୟିକ, କଳାକାର, ସଂସ୍କୃତିପ୍ରେମୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତି ଏହାକୁ ଆହୁରି ଗାରିମାମୟ କରିଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଜାନନ ଶ୍ରୀଗଣେଶଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଅଛି । ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ସଭାପତି ଆଦିତ୍ୟ କୁମାର ରଥ ଓ ମୁଖ୍ୟ ବକ୍ତା ସୁଶ୍ରୀ ରଞ୍ଜୁଲତା ସାହୁ ପୂଜାରେ ଅଂଶଗ୍ରହଣ କରି ଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ ମାଧ୍ୟମରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l ସଂପାଦକ ରାଜେନ୍ଦ୍ର ମହାନ୍ତି ନିଜ ଅଭିଭାଷଣରେ ରଙ୍ଗବତୀ ଦିବସ ପାଳନର ମୂଳ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରି କହିଥିଲେ ଯେ, “ରଙ୍ଗବତୀ” କେବଳ ଗୋଟିଏ ଲୋକପ୍ରିୟ ଗୀତ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସଂସ୍କୃତିକ ଅସ୍ତିତ୍ୱର ପ୍ରତୀକ। ସେ ଏହି ଅବସରରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମଦିନ ଅବସରରେ ତାଙ୍କୁ ସ୍ମରଣ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ସେମାନଙ୍କର ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନକୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଭାବେ “ରଙ୍ଗବତୀ ସମ୍ମାନ” ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କ୍ଷେତ୍ରରେ ନିରନ୍ତର ଅବଦାନ ପାଇଁ ରମେଶ ଗୁର୍ଲ୍ଲାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମୟରେ ଉପସ୍ଥିତ ଅତିଥିମାନେ ତାଙ୍କର ସେବା ମନୋଭାବ ଓ ସଂସ୍କୃତି ପ୍ରତି ପ୍ରେମାର୍ପଣ ଭାବକୁ ଉଚ୍ଚ କଣ୍ଠରେ ପ୍ରଶଂସା କରିଥିଲେ।ମୁଖ୍ୟ ବକ୍ତା ସୁଶ୍ରୀ ରଞ୍ଜୁଲତା ସାହୁ ଓ ମୁଖ୍ୟ ଅତିଥି ଶ୍ରୀ ସୁଶାନ୍ତ କୁମାର ମିଶ୍ର ନିଜ ଅଭିଭାଷଣରେ “ରଙ୍ଗବତୀ” ଗୀତର ଐତିହାସିକ ପୃଷ୍ଠଭୂମି, ସାମାଜିକ ପ୍ରଭାବ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ସୃଜନଶୀଳତା ବିଷୟରେ ଗଭୀର ଓ ତଥ୍ୟାଧିଷ୍ଠିତ ଆଲୋଚନା କରିଥିଲେ। ସେମାନେ ଯୁବପିଢ଼ୀଙ୍କୁ ଏହି ମୂଲ୍ୟବାନ ସାଂସ୍କୃତିକ ଧରୋହରକୁ ସୁରକ୍ଷିତ ଓ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ସମାଲୋଚକ ଓ ପ୍ରାବନ୍ଧିକ ଯଶୋବନ୍ତ ବିଶ୍ୱାଳ, ଶେଷଦେବ ମେହେର, ସଂଜୀବ କୁମାର ବହିଦାର, ଉପ-ସଭାପତି ଆନନ୍ଦ ବେହେରା, ନାଟ୍ୟକାର ଆଦିତ୍ୟ ବିଶ୍ୱାଳ, ବସନ୍ତ କୁମାର ସାହୁ ବିଦ୍ୟାଧର ଦାସ ଓ ପ୍ରଦୀପ ଦାନୀ ସହିତ ବହୁ ସାହିତ୍ୟିକ ଓ କଳାକାରମାନେ ଉପସ୍ଥିତ ରହି କବି ମିତ୍ରଭାନୁ ଗୌନ୍ତିଆଙ୍କ ସୃଜନଶୀଳ ପ୍ରତିଭା ଓ ସଂସ୍କୃତିକ ଅବଦାନକୁ ସ୍ମରଣ କରି ଗୁଣଗାନ କରିଥିଲେ।ଶେଷରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ବସନ୍ତ ସାହୁ ଓ ପ୍ରଦୀପ କୁମାର ଦାନୀଙ୍କୁ ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ସାମ୍ବଲପୁରୀ ସଂସ୍କୃତି ପ୍ରତି ଗଭୀର ଆସ୍ଥା, ସମ୍ମାନ ଓ ଉତ୍ସାହର ପ୍ରକାଶ କରି ସଫଳ ଭାବରେ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *