
କଟକ,ତା ୨୯.୧୦ .୨୦୨୬ ରିଖ – ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତମ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା) ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷରେ ସାଂସଦ,କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପୂର୍ବ ଦିଶା ବୈଠକର ଆଲୋଚନା ହୋଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନ ଆଦି ସଂମ୍ପର୍କରେ ଜନପ୍ରତିନିଧି ମାନଙ୍କୁ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କ ଦ୍ଵାରା ଅବଗତ କରାଯାଇଥିଲା ।
ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ରେଳ ପ୍ରକଳ୍ପ, ଡ୍ରେନେଜ ବ୍ୟବସ୍ଥା,ନୂତନ ସେତୁ ନିର୍ମାଣ , ନୂତନ ସଡ଼କ ନିର୍ମାଣ, ବିଦ୍ୟୁତ୍ ସଂଯୋଗୀକରଣ ସମ୍ପର୍କିତ ବିଷୟରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗମାନଙ୍କୁ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ମନ୍ଦିର ଗୁଡିକର ଉନ୍ନତିକରଣ ସହିତ ସେଠାକୁ ସଂଯୋଗ କରୁଥିବା ରାସ୍ତା ର ମରାମତି ଏବଂ ଆବଶ୍ୟକସ୍ଥଳେ ନୂତନ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସାଂସଦ ଶ୍ରୀ ମହତାବ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଅଗ୍ରଗତି ସମୀକ୍ଷା କରି କହିଥିଲେ , ସଡ଼କ ହେଉଛି ଗ୍ରାମୀଣ ଜୀବନକୁ ସହର ସହିତ ଯୋଡ଼ିବାର ଏକ ପ୍ରମୁଖ ମାଧ୍ୟମ । ଆବଶ୍ୟକଥିବା ପ୍ରତ୍ୟେକ ଗ୍ରାମକୁ ଉପଯୁକ୍ତ ସଡ଼କ ସଂଯୋଗୀକରଣ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି,ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମର (PMEGP) ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁଫଳ ଯଥାଶୀଘ୍ର ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମଗ୍ର ଜିଲ୍ଲାରେ ସାର ଯୋଗାଣ ସ୍ଥିତି ଓ ଚାଷୀମାନଙ୍କ ଚାହିଦା ପୂରଣ ସୁନିଶ୍ଚିତ କରିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କୃଷି ଉତ୍ପାଦନ ବୃଦ୍ଧି କରି ଅଧିକ ପରିମାଣର ଓ ଉନ୍ନତମାନର ଆଳୁ ଉତ୍ପାଦନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ କହିଥିଲେ । ଏଥିସହିତ, ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଉନ୍ନତମାନର ଦେଶୀ ଗାଈ ପାଳନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଚାଷୀମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଦିଗରେ ଚାଷୀଙ୍କ ଦକ୍ଷତା ବିକାଶ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯିବା ସହ ମୃତ୍ତିକା ଚୟନ ଓ ସଂଗ୍ରହ ତଥା ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ (Soil Health Card) ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ଯୋଜନା କମିଟି ଅଧକ୍ଷ ତଥା ବିଧାୟକ , ନିଆଳି ଶ୍ରୀ ଛବି ମଲ୍ଲିକ, ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂ, ବିଧାୟକ ଆଠଗଡ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ବିଧାୟକ, ସାଲେପୁର ଶ୍ରୀ ପ୍ରଶାନ୍ତ ବେହେରା , ବିଧାୟକ ବାଙ୍କୀ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ , ବିଧାୟକ, କଟକ-ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ବିଧାୟକ ମାହଙ୍ଗା ଶ୍ରୀ ସାରଦା ପ୍ରସାଦ ପ୍ରଧାନ , ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବନ୍ଧୁ ଚରଣ ସାହୁ ଏବଂ କେନ୍ଦ୍ରାପଡା ସାଂସଦ ଙ୍କ ପ୍ରତିନିଧି ତଥା ବରିଷ୍ଠ ସଦସ୍ୟ ଶ୍ରୀ ରାମନାରାୟଣ ମହାନ୍ତି, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ଅନିମେଶ ପ୍ରଧାନ,କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ,ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା/ପ୍ରତିନିଧି,ବିଭିନ୍ନ ବିଭାଗର ଅଧିକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ, ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।