ରାଜଗାଙ୍ଗପୁର :- ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ଅଧୀନ ମୁଣ୍ଡରଖେତ, ଘୋଘରପାଳି, ଲଟାପାଣି, ପୋଡ଼ାଜଲଙ୍ଗା, ଭୋଗରାକଛାର, ଛତାବର ଏବଂ ବିଲାଲମୁଣ୍ଡା ଗ୍ରାମର ଗ୍ରାମବାସୀମାନେ ଆସନ୍ତା ଅକ୍ଟୋବର 30, 2025 ରେ ନିର୍ଦ୍ଧାରିତ ବେଦାନ୍ତ ଘୋଘରପାଳି କୋଏଲ ମାଇନ ପ୍ରକଳ୍ପର ଜନଶୁଣାଣିକୁ ବାତିଲ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀମାନେ ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ପ୍ରଭାବ ମୂଲ୍ୟାୟନ କର୍ତ୍ତୃପକ୍ଷ (SEIAA) ଓ ଜନଜାତି କାର୍ଯ୍ୟ ମନ୍ତ୍ରାଳୟଙ୍କୁ ଲିଖିତ ଜଣାଇଛନ୍ତି ଯେ, ଏହି ଜନଶୁଣାଣି ସଂବିଧାନର ପଞ୍ଚମ ତାଲିକା, ପେସା ଆଇନ, ଫରେଷ୍ଟ ରାଇଟ ଆକ୍ଟ (FRA) ଓ ଲ୍ୟାଣ୍ଡ ଅକ୍ୟୁଇଜିସନ ଆକ୍ଟ (LARR) ର ସ୍ପଷ୍ଟ ନିୟମ ଉଲ୍ଲଂଘନ କରୁଛି। ଗ୍ରାମବାସୀମାନଙ୍କ ଅଭିଯୋଗ ଯେ, ପ୍ରକଳ୍ପ ଅଞ୍ଚଳ ପଞ୍ଚମ ତାଲିକାଭୁକ୍ତ ଅଞ୍ଚଳ ହେଉଥିବା ସତ୍ତ୍ୱେ ଗ୍ରାମସଭା ଅନୁମତି ନିଆଯାଇନି। ହେମଗିରି ତହସିଲ ଅଫିସରେ ପୂର୍ବରୁ ଦାଖଲ ଅଭିଯୋଗ ଉପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ଗ୍ରାମବାସୀମାନେ ଏହା ମଧ୍ୟ ଜଣାଇଛନ୍ତି ଯେ ଅନେକ ଫରେଷ୍ଟ ରାଇଟ ଦାବି ଏଯାଏ ସମାଧାନ ହୋଇନାହିଁ, ଏହି ପରିସ୍ଥିତିରେ ଭୂମି ଅଧିଗ୍ରହଣ କିମ୍ବା ଖଣି କାମ ଆରମ୍ଭ କରିବା ଅବୈଧ ହେବ।
ପରିବେଶ ପ୍ରଭାବ ମୂଲ୍ୟାୟନ (EIA) ରିପୋର୍ଟ ତିଆରି କରୁଥିବା ଏଜେନ୍ସୀ ସ୍ଥାନୀୟ ଜନସମାଜ ସହ କୌଣସି ପରାମର୍ଶ କରିନାହିଁ, ଯାହା ଫଳରେ ପରିବେଶ ଓ ସାମାଜିକ ପ୍ରଭାବ ସମ୍ବନ୍ଧୀୟ ସତ୍ୟ ତଥ୍ୟ ଅନୁଦୃଶ୍ୟ ହୋଇଛି।
ଗ୍ରାମବାସୀମାନଙ୍କ ଦାବି:
- ଅକ୍ଟୋବର 30 ର ନିର୍ଦ୍ଧାରିତ ଜନଶୁଣାଣିକୁ ତତ୍କ୍ଷଣାତ ବାତିଲ କରାଯାଉ।
- ସାଧାରଣ ଗ୍ରାମଭୂମି ଅଧିଗ୍ରହଣ ପାଇଁ IDCO ର ଭୂମି ଲିଜ୍ ପ୍ରସ୍ତାବ ବିଲୋପ କରାଯାଉ।
- ସମସ୍ତ ପ୍ରଭାବିତ ଗ୍ରାମରେ ସ୍ଵତନ୍ତ୍ର ଓ ସଚେତନ ସମ୍ମତି ପାଇଁ ଗ୍ରାମସଭା ବୈଠକ ଆୟୋଜନ କରାଯାଉ।
- ସମସ୍ତ ଫରେଷ୍ଟ ରାଇଟ ଦାବି ପୂର୍ବରୁ ସମାଧାନ କରାଯାଉ।
- ସମସ୍ତ ପ୍ରକ୍ରିୟା ପେସା, FRA, LARR ଏବଂ ପଞ୍ଚମ ତାଲିକାର ନିୟମ ଅନୁଯାୟୀ ହେଉ।
ଗ୍ରାମବାସୀମାନେ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ସଂବିଧାନସମ୍ମତ ଓ ନ୍ୟାୟସଂଗତ ପଦକ୍ଷେପ ଗ୍ରହଣ କରାଯାଉ ଯାହା ଆଦିବାସୀ ସମୁଦାୟଙ୍କ ଅଧିକାର ଓ ପରିବେଶ ସୁରକ୍ଷିତ ରହିପାରିବ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,