ବିଶ୍ବ ପରିବାର ଦିବସ

ସୁନ୍ଦର ସୃଜନେ ମା’ ଧରିତ୍ରୀ ବକ୍ଷେ
ସର୍ବ ପ୍ରାଣୀ ମଧ୍ଯେ ନର,
ଐଶ୍ବରୀୟ ଦାନ ନର – ନାରାୟଣ
ସତଂ ଶିବମ୍ ସୁନ୍ଦର ।

ଆଦିମାନବ’ଠୁ ଏଯାବତ ନର
ସଂଘୀୟ ଜୀବନାଧାର,
ସମାଜ ଗଠନ ମୂଳ ପାହାଚର
ମୁଖବନ୍ଧ ପରିବାର ।

ଜେଜେ ଆଈ’ଠାରୁ ନାତି ଓ ନାତୁଣୀ
ପରିବାରର ସଦସ୍ଯ,
ମଧ୍ଯେ ପିତା-ମାତା ବାହାକ ବାହିକା
ସାଂସାରିକ ପରିତୋଷ ।

ଗୃହକର୍ତ୍ତାଙ୍କର ଉପଦେଶ ମାନ୍ଯ
ସଂସାର ଚାଲିଚଳନ,
ବୃଦ୍ଧ ପିତା-ମାତା ସେବା-ଶୁଶ୍ରୂଷାରେ
ସୁଖ ସମୃଦ୍ଧି ବର୍ଷଣ ।

ବିଶ୍ବାସଭାଜନେ ଦାମ୍ପତ୍ଯ ଜୀବନେ
ସ୍ନେହ-ମମତା ମହକ,
ପୁତ୍ର-କନ୍ଯାଙ୍କର ହସ-ଖୁସି ଖେଳ
ସୁଗନ୍ଧମୟ ଚମ୍ପକ ।

ଗୃହକର୍ତ୍ତା ପିତା କୃଷି-ଶିଳ୍ପ ଅବା
କାର୍ଯ୍ଯାଳୟୁ ରୋଜଗାର,
ଗୃହକର୍ତ୍ତ୍ରୀ ମାତା ରୋଷେଇବାସ ଓ
ପିଲାଙ୍କ ଯତ୍ନ ଆଦର ।

ଜେଜେ ଆଈଠାରୁ ଗୀତ-ଗଳ୍ପ ଶୁଣି
ନାତି-ନାତୁଣୀ ଉଲ୍ଲାସ,
ଚାହା-ପାନ ଖାଇ ସାଆନ୍ତ ଗାଆଁରେ
ସଙ୍ଗାତ-ମେଳ ଉଚ୍ଛ୍ବାସ ।

ପରିବାର କର୍ତ୍ତା- ଭ୍ରାତାଙ୍କ ଏକତ୍ର
ଶୋଭେ ଯୌଥ-ପରିବାର ,
ସମ୍ପଦ ଝଲକେ ଏକ ମନ-ପ୍ରାଣେ
ସମସ୍ଯା ସଂକଟ ଦୂର ।

ସୁଖୀ ପରିବାର ସୁବାସ ଚହଟେ
ପଡ଼ୋଶୀ ଗ୍ରାମରୁ ରାଜ୍ଯ,
ଭ୍ରାତୃତ୍ବ ବନ୍ଧୁତ୍ବ ସଂହତିର ମନ୍ତ୍ର
ଶାନ୍ତି-ଶୃଙ୍ଖଳା ବିରାଜ ।

ଶୁଭ ଓଷା-ବ୍ରତ ବିବାହ ଆଦିରେ
ବନ୍ଧୁବାନ୍ଧବ ଏକତ୍ର,
ପର୍ବ-ପର୍ବାଣି’ର ଉତ୍ସବ ସୃଜିତ
ଜାତୀୟ-ସଂହତି ସ୍ରୋତ ।

ରାଜ୍ୟ ଓ ଦେଶର ଦୃଶ୍ୟମାନ ଯେବେ
ସୁଖ-ଶାନ୍ତି ପରିବାର,
ସ୍ବଚ୍ଛ ପରିବେଶ ସମୃଦ୍ଧ ସମାଜ
ରାଷ୍ଟ୍ର ପ୍ରକଟେ ସୁନ୍ଦର ।

ମେ’ ମାସ ପନ୍ଦର ବିଶ୍ବ ପରିବାର
ଦିବସ ଭବ୍ୟ ପ୍ରକାଶ,
ସତ୍ଯ ଶାନ୍ତି-ପ୍ରୀତି ଅହିଂସା ଶୁଭାର୍ଥୀ
ବୋଲେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *