


ରାୟଗଡ଼ା ( ଅଜୟ ରଥ ) :
ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଓ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ଓଡ଼ିଶା ପ୍ରଭାରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ରାଜମହେନ୍ଦ୍ରୀ ସାଂସଦ ଡି. ପୁରନ୍ଦେଶ୍ୱରୀ ଆଜି ରାୟଗଡ଼ା ଗସ୍ତରେ ଆସି ବିଜୁ ଅଡିଟୋରିଅମ ଠାରେ ଯୋଗଦେଇଥିଲେ।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ପ୍ରଥମ ଗସ୍ତରେ ସେ ଭୁବନେଶ୍ୱରରେ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ। ବର୍ତ୍ତମାନ ସେ ମାଲକାନଗିରିରୁ ନିଜର ଗସ୍ତ ଆରମ୍ଭ କରିଛନ୍ତି ଏବଂ ମୋଟ ୧୪ଟି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ‘ଅରାଜକତା ହଟାଓ ଏବଂ ଲୋକତନ୍ତ୍ର ବଞ୍ଚାଓ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଭୋଟ୍ ଚୋରି ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ବିରୋଧୀଙ୍କ ଦ୍ୱାରା ଉଠାଯାଉଥିବା ଗୁଜବର ସତ୍ୟତା ଲୋକଙ୍କ ସାମ୍ନାରେ ରଖିବା ପାଇଁ ବିଜେପି ପକ୍ଷରୁ ବୁଦ୍ଧିଜୀବୀମାନଙ୍କ ସହ ବୈଠକ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ବହୁ ଚର୍ଚ୍ଚିତ କୋଟିଆ ବିବାଦ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ୧୯୬୦ ଦଶକରୁ ଏହି ବିବାଦ ଲାଗି ରହିଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଟିଆରେ ପ୍ରାୟ ୫୦୦୦ରୁ ୫୫୦୦ ଲୋକ ବସବାସ କରୁଛନ୍ତି ଏବଂ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ସେଠାରେ ଲୋକଙ୍କୁ ଜନକଲ୍ୟାଣକାରୀ ଯୋଜନା ଯୋଗାଇ ଦେଉଛନ୍ତି। ତେଣୁ କୌଣସି ଗୋଟିଏ ରାଜ୍ୟର ପ୍ରଶାସନକୁ ‘ଅନୁପ୍ରବେଶକାରୀ’ କହିବା ଠିକ୍ ନୁହେଁ। ସୀମା ବିବାଦର ସମାଧାନ ପାଇଁ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକାଠି ବସି ଆଲୋଚନା କରିବା ଉଚିତ୍।
ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ଦଳୀୟ ପ୍ରଭାରୀ ଭାବରେ ତାଙ୍କର ମୂଳ କାମ ହେଉଛି ସଂଗଠନକୁ ମଜବୁତ କରିବା। ପ୍ରଶାସନିକ ସ୍ତରରେ କିମ୍ବା ସୀମା ବିବାଦ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ତାଙ୍କର କାର୍ଯ୍ୟ ନୁହେଁ, ବରଂ ଉଭୟ ରାଜ୍ୟର ସରକାର ହିଁ ଆଲୋଚନା ମାଧ୍ୟମରେ ଏହାର ନିଷ୍କର୍ସ ବାହାର କରିବା ଆବଶ୍ୟକ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।