
ରାଜଗାଙ୍ଗପୁର : ଆଜି ରାଜଗାଙ୍ଗପୁର ରେଳ ଷ୍ଟେସନ ପ୍ଲାଟଫର୍ମରେ ରେଳ ବିଭାଗ ପକ୍ଷରୁ “ରେଲ ଜନ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଳ ଯାତ୍ରୀମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମ ବିଷୟରେ ପୂର୍ବରୁ କୌଣସି ପ୍ରଚାର ପ୍ରସାର କରାଯାଇନଥିବାରୁ ଅନେକ ବୁଦ୍ଧିଜୀବୀ, ଯାତ୍ରୀ ଓ ଗଣମାଧ୍ୟମ କର୍ମୀ ଏହାକୁ ଏକ ପ୍ରହସନ ବୋଲି କହିଛନ୍ତି କେତେକ ସାମାଜିକ କର୍ମୀ ଓ ଜନସାଧାରଣ ଏହାକୁ ଲୋକଙ୍କ ସହ ଛଳନା ବୋଲି ମଧ୍ୟ ଅଭିହିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୩ ବର୍ଷ ପୂର୍ବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜଗାଙ୍ଗପୁର ଷ୍ଟେସନକୁ ସାମିଲ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ ଏବଂ ଆଧୁନିକୀକରଣ ପାଇଁ ୩୦ କୋଟି ଟଙ୍କା ଅନୁମୋଦନ ଘୋଷଣା କରିଥିଲେ। କିନ୍ତୁ ୩ ବର୍ଷ ପରେ ମଧ୍ୟ ୧୦ ପ୍ରତିଶତ କାମ ମଧ୍ୟ ହୋଇନାହିଁ ବୋଲି ଅଭିଯୋଗ ହୋଇଛି। ଆଧୁନିକୀକରଣ ନାଁରେ ଷ୍ଟେସନକୁ ଉଜାଡି ଦିଆଯାଇଛି। ଯାତ୍ରୀମାନେ ପୂର୍ବରୁ ପାଉଥିବା ମୌଳିକ ସୁବିଧା ଯେପରିକି ରେଲୱେ ଷ୍ଟେସନ କୁ ଆସିବା ପାଇଁ ରାସ୍ତା,ଶୌଚାଳୟ, ପିଇବା ପାଣି, ୧୨ ଘଣ୍ଟିଆ ବୁକିଂ କାଉଣ୍ଟର, ପରିମଳ ବ୍ୟବସ୍ଥା, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଗୋଟିଏ ପ୍ଲାଟଫର୍ମ ରୁ ଅନ୍ୟ ପ୍ଲାଟଫର୍ମ ଯିବାକୁ ଥିବା ପାଦଚଲା ରାସ୍ତା, ଚା-ଜଳଖିଆ ଦୋକାନ ଆଦି ସୁବିଧା ହ୍ରାସ କରାଯାଇଛି ଏବଂ କେତେକ ସୁବିଧାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ମଧ୍ୟ କରାଯାଇଛି। ଏ ସମ୍ପର୍କରେ ଡିଭିଜନାଲ ରେଳ ପ୍ରବନ୍ଧକ (DRM), ଏରିଆ ରେଳ ପ୍ରବନ୍ଧକ, ଜେନେରାଲ ମ୍ୟାନେଜର ଏବଂ ଷ୍ଟେସନ ମ୍ୟାନେଜରଙ୍କ ଦୃଷ୍ଟି ବାରମ୍ବାର ଆକର୍ଷଣ କରାଯାଇଥିଲେ ମଧ୍ୟ ରେଳ ବିଭାଗ ଯାତ୍ରୀ ସମସ୍ୟା ସମାଧାନରେ ବିଫଳ ହୋଇଛି ବୋଲି ଅଭିଯୋଗ ହେଉଛି।
ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ