ବାତ୍ୟା ଅର୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା ଜନଜୀବନ ପ୍ରଭାବିତ

ଚଣ୍ଡିଖୋଲ,୨୮/୧୦(କ.ଵ୍ୟୁ)(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବାତ୍ୟା ” ଅର୍ଣବ ” ପ୍ରଭାବରେ ଆଜି ସମଗ୍ର ବଡଚଣା ବ୍ଲକ୍ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ମେଘୁଆ ପାଗ ଦିନ ସାରା ଲାଗି ରହିଛି। ଗତକାଲି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଦିନ ତମାମ ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି। ବଜାର ହାଟ ଜନଶୂନ୍ୟ ହୋଇ ପଡ଼ିଛି। ଏହି ଲଘୁଚାପ ଜନିତ ବର୍ଷାରେ ଚାଷୀ ମାନେ ବହୁତ କ୍ଷତିର ସମ୍ମୁଖୀନ ହୋଇ ଛନ୍ତି। ଚଳିତ ବର୍ଷର ଅତ୍ୟଧିକ ବର୍ଷା ଓ ବନ୍ୟା ରେ ବଡଚଣା ବ୍ଲକ୍ ଅଞ୍ଚଳରେ ଖରିପ୍ ଧାନ ଚାଷ ନଷ୍ଟ ହୋଇଛି। ବିରି ବୁଣି ଏହି କ୍ଷତିର ଭରଣା କରିବାକୁ ଚାହୁଁ ଥିବା ବେଳେ ଏହି ଲଘୁଚାପ ଜନିତ ବର୍ଷା ତାର ଆଶାକୁ ଧୂଳିସାତ କରିଦେଲା। ବର୍ତ୍ତମାନ ଚାଷୀ ଝୋଟ ଅମଳ କରି ଖରାରେ ଶୁଖାଇବା କାର୍ଯ୍ୟ କରିବା ସହିତ ବିଡ଼ା ବାନ୍ଧି ରଖିଥାଏ। ମାତ୍ର ଅଦିନିଆ ବର୍ଷା କାରଣରୁ ଏହି କାର୍ଯ୍ୟ ହୋଇପାରୁ ନାହିଁ ଫଳରେ ଓଦା ଝୋଟ ରହି ନଷ୍ଟ ହେବାର ଆଶଙ୍କା ରହିଛି। ଏଥି ସହିତ ପନିପରିବା ଚାଷ ମଧ୍ୟ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି। ବଡ଼ଚଣାର ଭୌଗୋଳିକ ଅବସ୍ଥିତି ଅନୁଯାୟୀ ପୂର୍ବ ବଡଚଣା ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଥିବା ବେଳେ ପଶ୍ଚିମ ବଡଚଣା ମରୁଡ଼ି ପ୍ରପୀଡ଼ିତ। ମାତ୍ର ଏହି ଅଦିନିଆ ଲଘୁଚାପ ଜନିତ ବର୍ଷାରେ ବିଶେଷ ଭାବରେ ଧାନ ଚାଷ କ୍ଷତି ଗ୍ରସ୍ତ ହେବାର ଆଶଙ୍କା ଅଧିକ ରହିଛି। କାରଣ ବର୍ତ୍ତମାନ ଧାନ ଥୋଡ ବାହାରି ଫୁଲ ଉଡାଉ ଥିବା ସମୟ। ମାତ୍ର ଏହି ଅଦିନିଆ ବର୍ଷା ସାଙ୍ଗକୁ ପବନ ବହିବା ସମ୍ଭାବନା ଅଧିକ ରହିଛି। ଏହା ହେଲେ ଧାନ ଅଗଡି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ କିଛି ସଅଳ କିସମ ଧାନ ଯାହା ବର୍ତ୍ତମାନ ଅମଳ ଅବସ୍ଥାରେ ରହିଛି ମାତ୍ର ଏହି ଅଦିନିଆ ବର୍ଷାରେ ସେହି ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *