ଅନ୍ତର୍ଜାତୀୟ ଶିଶୁ-କନ୍ୟା ଦିବସ 🌹International Day of Girl-Child💁‍♀️ 11th : October 🧛‍♀️



ପୁତ୍ର ହେଉ ଅବା କନ୍ୟା ହେଉ ବନ୍ଧୁ
ଏକ ବିନା ନାହିଁ ଆନ,
ପରସ୍ପର ଦୁହେଁ ପରିପୂରକ ଯେ’
ସଂଲଗ୍ନେ ସୃଷ୍ଟି ସୃଜନ ।

ଶ୍ରୀକୃଷ୍ଣ ପାଟିରେ ଦେଖିଥିଲେ ମାତା
ଯଶୋଦା ବିଶ୍ବ ବ୍ରହ୍ମାଣ୍ଡ,
ଶିଶୁ-କନ୍ଯା ହସୁ ଦେଖେ ମୁଁ ପ୍ରତ୍ଯହ
ତାରକାପୁଞ୍ଜ ସୁନନ୍ଦ ।

ହସରୁ କାନ୍ଦରୁ ଚାଲିରୁ କଥାରୁ
ଝରିପଡ଼େ ମୁକ୍ତା-ଫୁଲ,
ଆହାଃ ଶିଶୁ-କନ୍ଯା ସୌନ୍ଦର୍ଯ୍ୟର ବନ୍ଯା
ବର୍ଣ୍ଣନା ଅମୂଲ ମୂଲ !

ସଯତ୍ନେ ଗଢ଼ଣ କାଦୁଅର ମୂର୍ତ୍ତି
ଦେବୀ ପ୍ରତିମା ଶୋଭନ,
ଆଦର ମମତା ସୁଯତ୍ନ ସୁରକ୍ଷା
ଶିଶୁ-କନ୍ଯା ମନ ଟାଣ ।

କନ୍ୟା ଯଦି ହୁଏ ଚ଼ନ୍ଦ୍ରମା ସଦୃଶ୍ୟ
ସରବେ ବଢ଼ାନ୍ତି ହାତ,
କନ୍ୟା ଯଦି ଥାଏ ସୂର୍ଯ୍ୟ ସମ ତେଜ
ଦୁର୍ଜନେ ଖାଆନ୍ତି ନାତ ।

ସତ୍ୟ ଶାନ୍ତି ଦୟା କ୍ଷମା ଓ ଅହିଂସା
ନାରୀ ହୃଦେ ବେଶି ଟାଣ,
ଅଧିକନ୍ତୁ ବିଶ୍ଵେ ନାରୀ-ନେତ୍ରୀ ଦୃଶ୍ୟେ
ଶାସନ କାର୍ଯ୍ୟ ଭୀଷଣ ।

କନ୍ୟା ଦିବସରେ ସ°କଳ୍ପ ହେଉ ଯେ’
ଶିଶୁମାନଙ୍କର ଯତ୍ନ,
ସ୍ନେହ-ଶ୍ରଦ୍ଧା ହୃଦେ ଶିକ୍ଷା-ଦୀକ୍ଷା ଦାନେ
କରିବା ତାହାଙ୍କୁ ରତ୍ନ ।

ଶ୍ରଦ୍ଧାର ମହକ ଅନ୍ତର୍-ଜାତୀୟ
ଯେ’ ଶିଶୁ-କନ୍ୟା ଦିବସ,
ହେଉ ଜାଗରଣ ସୁରକ୍ଷା ସୁଯତ୍ନ
କନ୍ୟା’ଠୁ ମିଳୁ ସୁବାସ ।

ଅକ୍ଟୋବର ମାସ ଏଗାର ପ୍ରଣୀତ
ଯେ’ ଶିଶୁ-କନ୍ୟା ଦିବସ,
ସିନ୍ଧୁରୁ ବିନ୍ଦୁଏ ସ୍ନେହାଶିଷ ଢାଳେ
କବି ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *