ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ଶାନ୍ତି କମିଟି ବୈଠକଶୃଙ୍ଖଳିତ ପୂଜା ପାଳନ ଉପରେ ଗୁରୁତ୍ୱ; ଅଗ୍ନି ନିରାପତ୍ତା, ପାନୀୟ ଜଳ ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଆଲୋଚନା


ବାରିପଦା/ଉଦଳା, ତା. ୯।୧୦।୨୦୨୬(କ ବ୍ଯୁ) :
ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶାନ୍ତି, ମୈତ୍ରୀ ଓ ଭାତୃତ୍ୱର ବାର୍ତ୍ତା ବହନ କରୁଥିବା ଶାରଦୀୟ ଦୁର୍ଗାପୂଜା ଏବଂ ରାବଣପୋଡ଼ି ଉତ୍ସବକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ କପ୍ତିପଦା ଉପଖଣ୍ଡସ୍ତରୀୟ ସର୍ବଦଳୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି।
ଉପଜିଲ୍ଲାପାଳ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଶ୍ରୀ ପ୍ରତୀକ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ। ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜାମଣ୍ଡପର ସଭାପତି ଓ ସମ୍ପାଦକ, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ବୈଠକରେ ପୂଜାମଣ୍ଡପଗୁଡ଼ିକ ପାଇଁ ଆବଶ୍ୟକ ଅନୁମତି ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଅନୁମତି ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଅଗ୍ନି ନିରାପତ୍ତା ଓ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ସମ୍ପୃକ୍ତ ବିଭାଗର ଅନୁମତି ନେବାକୁ କୁହାଯାଇଥିଲା।
ପୂଜାମଣ୍ଡପରେ ପାନୀୟ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା ସୁବିଧା, ରାସ୍ତାରେ ଆଲୋକୀକରଣ, ରାସ୍ତା ମରାମତି, ଯାନବାହନ ପାର୍କିଂ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ନିୟୋଜନ, ପରିଷ୍କାର ପରିଚ୍ଛନ୍ନତା, ମାଦକ ଦ୍ରବ୍ୟ ନିଷେଧ ଓ ପୋଲିସ ମୁତୟନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପୂଜାମଣ୍ଡପର ତୋରଣ ନିର୍ମାଣ ସମୟରେ ନିରାପତ୍ତା ଓ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।
ମା’ଙ୍କ ପବିତ୍ର ପୂଜାକୁ ସମସ୍ତେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ସହ ଭାତୃତ୍ୱବୋଧ ଓ ସାମାଜିକ ସଦ୍‌ଭାବ ବଜାୟ ରଖିବାକୁ ବୈଠକରେ ନିବେଦନ କରାଯାଇଥିଲା।
ଏହି ବୈଠକରେ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ସତ୍ୟପ୍ରକାଶ ପାତ୍ର, ଇଭାନ ଦଳେଇ, ଦୁଷ୍ମନ୍ତ ନାଏକ ଓ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *