କଟକ ମହାନଗର ନିଗମ ପକ୍ଷରୁ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଉଦ୍‌ଘାଟିତ

• ସ୍ୱଚ୍ଛତା ହିରୋମାନଙ୍କୁ ସମ୍ମାନ ଓ କୃତଜ୍ଞତାର ଦିବସ ପାଳନ
• ସହର ପରିବେଶକୁ ସୁନ୍ଦର ରଖିବାରେ ସଫେଇ କର୍ମୀଙ୍କ ଅବଦାନ ଅବିସ୍ମରଣୀୟ: ମେୟର ସୁବାସ ସିଂହ
• ସଫେଇ କର୍ମୀଙ୍କ ଭଳି କଷ୍ଟସାଧ୍ୟ କାର୍ଯ୍ୟ ଆଉ କିଏ କରିବା ମୁସ୍କିଲ: ସାଂସଦ ଦେବାଶିଷ ସାମନ୍ତରାୟ

କଟକ, ୬ ଅକ୍ଟୋବର ୨୦୨୬: କଟକ ସହରକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବାରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ସ୍ୱଚ୍ଛତା କର୍ମୀମାନଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ ପକ୍ଷରୁ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଆଜି ସ୍ଥାନୀୟ ଶହୀଦ ଭବନ ପରିସରରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ଓ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଯୋଗଦେଇ ଉତ୍ସବରକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ।

ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ’ ଓ ‘ବଡ଼ାଖାନା’ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ସେ କହିଥିଲେ ଯେ, ସଫେଇ କର୍ମୀମାନେ ହିଁ ପ୍ରତିଦିନ ନିଜର ପରିଶ୍ରମ ଓ ସେବା ମାଧ୍ୟମରେ ସହରକୁ ସ୍ୱଚ୍ଛ ରଖୁଛନ୍ତି। ତେଣୁ ସ୍ୱଚ୍ଛତା କର୍ମୀ ଓ ସେମାନଙ୍କ ପରିବାର ସୁସ୍ଥ ଓ ସୁରକ୍ଷିତ ରହିଲେ ହିଁ ସହରର ପରିବେଶ ସୁସ୍ଥ ରହିପାରିବ। ଆମ କଟକର ସଫେଇ କର୍ମୀଙ୍କ ପାଇଁ ସମସ୍ତ ନାଗରିକ ଗର୍ବ ଅନୁଭବ କରିବା ଦରକାର।

କେଏମସି କମିଶନର ସୁଶ୍ରୀ କିରନଦୀପ କୌର ସହୋତା ତାଙ୍କ ଅଭିଭାଷଣରେ କହିଥିଲେ, ଆଜିର ଦିନ କଟକ ମହାନଗର ନିଗମ ପାଇଁ କେବଳ ଏକ କାର୍ଯ୍ୟକ୍ରମର ଦିନ ନୁହେଁ, ଏହା କୃତଜ୍ଞତାର ଦିନ, ସମ୍ମାନର ଦିନ ଏବଂ ଆମ ସ୍ୱଚ୍ଛତା ହିରୋମାନଙ୍କୁ ଧନ୍ୟବାଦ ଜଣାଇବାର ଦିନ। ସେ କହିଥିଲେ ଯେ, ତିନିଦିନିଆ ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬ କଟକ ସହରର ସ୍ୱଚ୍ଛତା କର୍ମୀମାନଙ୍କ ପାଇଁ ଏକ ସମର୍ପିତ ଉତ୍ସବ। ଆମ କଟକକୁ ସ୍ୱଚ୍ଛ ରଖିବା ପାଇଁ ସେମାନଙ୍କର ପ୍ରୟାସ ପ୍ରଶଂସାଯୋଗ୍ୟ। ଆମେ ସକାଳୁ ଉଠି ସଫା ରାସ୍ତା ଓ ସଫା ଗଳି ଦେଖୁ, କିନ୍ତୁ ଏହି ସଫା ସହର ପଛରେ ଥିବା ଶତାଧିକ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆମେ ସବୁବେଳେ ମନେ ପକାଇ ନଥାଉ। ସେମାନଙ୍କ ପରିଶ୍ରମ କେବଳ ଆବର୍ଜନା ହଟାଏ ନାହିଁ, ବରଂ ସହରବାସୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନକୁ ସୁରକ୍ଷିତ ରଖେ। ସ୍ୱଚ୍ଛତା କର୍ମୀଙ୍କ କାର୍ଯ୍ୟ ସାଧାରଣ କାମ ନୁହେଁ, ଏହା ସହର ପ୍ରତି ଏକ ମହାନ ସେବା ଏବଂ ସେମାନଙ୍କ ସେବାକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।

କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ତାଙ୍କ ଅଭିଭାଷଣରେ ସଫେଇ କର୍ମୀମାନଙ୍କ ପ୍ରତି କଟକ ସହର ଗର୍ବିତ ବୋଲି କହିଥିଲେ। ଅନ୍ୟରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଦୀର୍ଘଦିନ ପରେ ମହାନଗର ନିଗମ ପକ୍ଷରୁ ଏହାର କର୍ମଚାରୀ ଓ ସଫେଇ କର୍ମୀଙ୍କ ପାଇଁ ଏଭଳି ଆୟୋଜନ ସେମାନଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବାର ଅବସର ବୋଲି ଉଲ୍ଲେଖ କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସାମାଜିକ ସଚେତନତା ସହିତ ସରକାରୀ ସୁବିଧା ଓ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ସେମାନଙ୍କ ପରିବାରର ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, ଆପଣମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଲେ ଆମ ସହରର ସ୍ୱାସ୍ଥ୍ୟ ଭଲ ରହିବ। ସ୍ୱଚ୍ଛତା କର୍ମୀମାନେ ଯେପରି କୌଣସି ପରିସ୍ଥିତିରେ ବିନା ସୁରକ୍ଷା ସାମଗ୍ରୀରେ କାର୍ଯ୍ୟ ନକରନ୍ତି, ସେ ଦିଗରେ ସମସ୍ତଙ୍କୁ ଯତ୍ନବାନ ହେବାକୁ ମେୟର ପରାମର୍ଶ ଦେଇଥିଲେ।

ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ ନିଜ ବକ୍ତବ୍ୟରେ କଟକର ଭାଇଚାରା କଥା ଉଲ୍ଲେଖ କରି ସମସ୍ତ ସ୍ୱଚ୍ଛ କର୍ମଚାରୀ ଜମେ ଜଣେ ହିରୋ ବୋଲି ଉଲ୍ଲେଖ କରିଥିଲେ। ବର୍ତ୍ତମାନର ଜଗତୀକରଣ ଓ ଟେକ୍ନୋଲୋଜି ଦୁନିଆରେ ଆଉ କିଛି ବର୍ଷ ପରେ ସହର ସଫେଇ ପାଇଁ ଲୋକ ମିଳିବା କଷ୍ଟକର ହୋଇପଡ଼ିବ ଏବଂ ଆଜି ଯେଉଁମାନେ ଆମ ପରିବେଶକୁ ସଫା ରଖୁଛନ୍ତି ସେମାନଙ୍କୁ ସେ ନମନ କରିଥିଲେ। ଏ କାର୍ଯ୍ୟ ଅତ୍ୟନ୍ତ କଷ୍ଟ ସାଧ୍ୟ ଏବଂ ପ୍ରତିଦିନ ଏହାକୁ ନିଷ୍ଠାର ସହ କରିବା ନିଶ୍ଚିତଭାବେ ଗୌରବର କଥା ବୋଲି ସେ କହିଥିଲେ।

ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ସ୍ୱଚ୍ଛତା କର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ସହରର ପ୍ରକୃତ ହିରୋ ଭାବେ ଅଭିହିତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଗୌରବର ବିଷୟ ବୋଲି କହିଥିଲେ।

ଏହି ଅବସରରେ ହେଲ୍ଥ ଓ ସାନିଟେସନ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିମୟୀ ମୂଳିଆ, ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାକେଶ ସ୍ୱାଇଁ, ପ୍ଲାନିଂ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ରାଉତ, କଲଚର ଓ ରିକ୍ରିଏସନ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ଦାସ ଏବଂ ଅତିରିକ୍ତ କମିଶନର ଶ୍ରୀମତୀ ସୋନା ଟୁଡୁ, ଶ୍ରୀ ପରେଶ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା କର୍ମୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।

ଏହାସହ ଡିଭିଜନାଲ୍ ଲେବର କମିଶନର ସୁଶ୍ରୀ ହରପ୍ରିୟା ନାୟକ, ଗରିମାର ଷ୍ଟେଟ୍ ଟିମ୍ ଲିଡ୍ ଶ୍ରୀ ଆଲୋକ ମହାପାତ୍ର ଏବଂ ନମସ୍ତେ ଯୋଜନାର ରିସୋର୍ସ ପର୍ସନ୍ ଶ୍ରୀ ଫନୀଭୂଷଣ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନେ ସ୍ୱଚ୍ଛତା କର୍ମୀମାନଙ୍କୁ ESI, EPF, ‘ଗରିମା’ ଓ ‘ନମସ୍ତେ’ ଯୋଜନା ସମ୍ପର୍କରେ ସଚେତନ କରିବା ସହ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ସୁବିଧାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ।

‘ସ୍ୱଚ୍ଛ ଚାମ୍ପିଅନ୍’ଙ୍କୁ ସମ୍ବର୍ଦ୍ଧନା

ଉତ୍ସବର ପ୍ରଥମ ଦିନରେ ଜାଗୃତି ଓ୍ୱେଲଫେୟାର ଅର୍ଗାନାଇଜେସନ ଦ୍ୱାରା ପରିଚାଳିତ ୨୦ଟି ଓ୍ୱାର୍ଡ (କେଏମସିର ଜୋନ୍–୧ ଓ ଜୋନ୍–୨) ଅଧୀନରେ କାର୍ଯ୍ୟରତ ସଫେଇ କର୍ମୀ, କୁଲି, ଡ୍ରାଇଭର, ଲୋଡର, ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା କର୍ମୀ, ସାନିଟେସନ୍ ଇନ୍ସପେକ୍ଟର ଓ ସାନିଟେସନ୍ ଏକ୍ସପର୍ଟମାନଙ୍କୁ ‘ସ୍ୱଚ୍ଛ ଚାମ୍ପିଅନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଭାରତର ସର୍ବପ୍ରଥମ ତୃତୀୟଲିଙ୍ଗୀଙ୍କ ଦ୍ୱାରା ପରିଚାଳିତ ମତ୍ତଗଜପୁରସ୍ଥିତ FSTP ପ୍ଲାଣ୍ଟର କୋର୍ ସାନିଟେସନ୍ ୱାର୍କରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସେହିପରି ଉଦ୍‌ଘାଟନୀ ସମାରୋହରେ ବିଭିନ୍ନ ୱାର୍ଡର କର୍ପୋରେଟରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ମେୟର ଶ୍ରୀ ସୁବାସ ସିଂହ ଲୋକପ୍ରତିନିଧିମାନଙ୍କୁ ଉପଢୌକନ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଲୋକପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସଫେଇ କର୍ମୀଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ କମିଶନର ଶ୍ରୀ ପରେଶ କୁମାର ନାୟର ଧନ୍ୟବାଦ ଅର୍ପଣ କରି ସହରକୁ ସ୍ୱଚ୍ଛ ରଖିବାରେ ସ୍ୱଚ୍ଛତା କର୍ମୀ ଓ ସଫେଇ କର୍ମୀମାନଙ୍କ ଅବଦାନ ଅମୂଲ୍ୟ ଓ ସ୍ମରଣୀୟ ବୋଲି ଉଲ୍ଲେଖ କରିଥିଲେ।

ଏହି ଉତ୍ସବ ଅବସରରେ ସ୍ୱଚ୍ଛତା କର୍ମୀମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ରଙ୍ଗୋଲି ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା। ଏହି ଅବସରରେ ଶ୍ରୀ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏବଂ ଶ୍ରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲାଇନ୍ ମ୍ୟାନ୍’ ପ୍ରଦର୍ଶିତ ହୋଇଥିଲା।

ଉତ୍ସବର ଏକ ଅନନ୍ୟ ଅଂଶ ଭାବେ ସମସ୍ତ ସଫେଇ ଓ ସ୍ୱଚ୍ଛତା କର୍ମୀଙ୍କ ପାଇଁ କଲ୍ୟାଣ ମଣ୍ଡପଠାରେ ‘ବଡ଼ାଖାନା’ ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ସେମାନଙ୍କ ପ୍ରତି କୃତଜ୍ଞତା ଓ ଆତ୍ମୀୟତାର ଭାବ ପ୍ରକାଶ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଏଜେନ୍ସି ପକ୍ଷରୁ ସ୍ୱଚ୍ଛତା କର୍ମୀମାନଙ୍କୁ ପରିଚୟପତ୍ର, EPF କାର୍ଡ, ESI ନମ୍ବର ଏବଂ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଥିଲା। ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ କେବଳ ଏକ ସମ୍ମାନ ସମାରୋହ ନୁହେଁ, ବରଂ କଟକ ସହରର ସ୍ୱଚ୍ଛତା ପଛରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଶତାଧିକ ସ୍ୱଚ୍ଛତା ହିରୋଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନର ଏକ ସାମୂହିକ ପ୍ରକାଶ।

Leave a Reply

Your email address will not be published. Required fields are marked *