କେ.ଏମ.ସି. ର ସ୍ବତନ୍ତ୍ର କାଉନସିଲ ବୈଠକଦୁର୍ଗାପୂଜା ଓ ବାଲିଯାତ୍ରା ପାଇଁ ପ୍ରସ୍ତୁତିପାର୍ବଣ ଋତୁରେ ରାସ୍ତା ଖୋଳା ଉପରେ ରୋକ୍, ଖୋଳାଯାଇଥିବା ରାସ୍ତାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶବାଲିଯାତ୍ରାରେ ‘କଟକ-ଇନ୍-କଟକ’କୁ ଅଧିକ ଆକର୍ଷଣୀୟ କରିବାକୁ ଗୁରୁତ୍ୱ ମେୟର ସୁବାସ ସିଂହ


କଟକ: ଆସନ୍ତା ଶାରଦୀୟ ଦୁର୍ଗାପୂଜା ଏବଂ ଐତିହାସିକ ବାଲିଯାତ୍ରାକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ରେ ବିଜୁ ଭବନସ୍ଥିତ କାଉନସିଲ୍ ହଲ୍‌ରେ ଆୟୋଜିତ ଏହି ବୈଠକରେ ଦୁର୍ଗାପୂଜା ଓ ବାଲିଯାତ୍ରା ପାଇଁ ନିଗମ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ମେୟର ଶ୍ରୀ ସିଂହ କହିଥିଲେ ଯେ, କଟକର ଦୁର୍ଗାପୂଜା କେବଳ ସହରର ଏକ ଧାର୍ମିକ ଉତ୍ସବ ନୁହେଁ, ଏହା କଟକର ଐତିହ୍ୟ, ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ପରିଚୟ। ସେହିପରି ବାଲିଯାତ୍ରା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ। ଏହି ଦୁଇ ପ୍ରମୁଖ ଉତ୍ସବକୁ ସଫଳ ଓ ଶୃଙ୍ଖଳିତ କରିବା ପାଇଁ ନିଗମର ସମସ୍ତ ବିଭାଗ, କର୍ପୋରେଟର ଓ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗ ଅତ୍ୟନ୍ତ ଜରୁରୀ। ଏଥିପାଇଁ ସମସ୍ତ କର୍ପୋରେଟରଙ୍କ ସକ୍ରିୟ ସହଯୋଗ ସେ କାମନା କରିଥିଲେ।
ରାସ୍ତା ଖୋଳାକୁ ନେଇ କର୍ପୋରେଟରଙ୍କ ଅସନ୍ତୋଷ
ବୈଠକରେ ସହରର ବିଭିନ୍ନ ରାସ୍ତାର ଅବସ୍ଥାକୁ ନେଇ କର୍ପୋରେଟରମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ବିଶେଷକରି ଗେଲ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ରାସ୍ତା ଖୋଳାଯାଉଥିବା ଏବଂ କାମ ସରିବା ପରେ ସମୟୋଚିତ ଭାବେ ମରାମତି କରାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ପାର୍ବଣ ସମୟରେ ଏଭଳି ଖୋଳା ରାସ୍ତା ଯାତାୟାତ ସମସ୍ୟା ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ଓ ଦୁର୍ଘଟଣାର କାରଣ ହୋଇପାରେ ବୋଲି କର୍ପୋରେଟରମାନେ ମତ ରଖିଥିଲେ।
ଏହା ସହିତ କେତେକ ରାସ୍ତାରେ ପୂର୍ତ୍ତ ବିଭାଗ (PWD) ପକ୍ଷରୁ ଏପର୍ଯ୍ୟନ୍ତ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଓ କାର୍ଯ୍ୟ ଆରମ୍ଭ ହୋଇନଥିବା ସମ୍ପର୍କରେ ମଧ୍ୟ କେତେକ କର୍ପୋରେଟର ଅଭିଯୋଗ ଉଠାଇଥିଲେ।
ଏହାର ଉତ୍ତରରେ ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ଦୁର୍ଗାପୂଜା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ଖୋଳାଯାଇଥିବା ରାସ୍ତାଗୁଡ଼ିକର ମରାମତିକୁ ପ୍ରାଥମିକତା ଦିଆଯିବ। ପାର୍ବଣ ଋତୁରେ ଅନାବଶ୍ୟକ ଭାବେ କୌଣସି ରାସ୍ତା ଖୋଳା ନଯାଉ ବୋଲି ଗେଲ୍ ଇଣ୍ଡିଆ ସମେତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ।
ପରିମଳ, ରାସ୍ତାଘାଟ ଓ ଜନସୁବିଧାକୁ ପ୍ରାଥମିକତା
ଦୁର୍ଗାପୂଜା ସମୟରେ କଟକକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସୁଥିବାରୁ ସହରର ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ଆଲୋକୀକରଣ ଏବଂ ଅନ୍ୟାନ୍ୟ ନାଗରିକ ସୁବିଧାକୁ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପୂଜା ସମୟରେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକମାନଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସମନ୍ୱିତ ଭାବେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା।
କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ଦୁର୍ଗାପୂଜା ପାଇଁ ନିଗମ ପକ୍ଷରୁ ଗ୍ରହଣ କରାଯାଉଥିବା ଏବଂ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କାଉନସିଲ୍‌କୁ ଅବଗତ କରାଇଥିଲେ। ବୈଠକରେ ବିଭିନ୍ନ ୱାର୍ଡର ସମସ୍ୟା ସମ୍ପର୍କରେ କର୍ପୋରେଟରମାନେ ମତ ରଖିବା ସହ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅନେକ ପ୍ରସ୍ତାବ ଆଗତ କରିଥିଲେ।
ବାଲିଯାତ୍ରାରେ ‘କଟକ-ଇନ୍-କଟକ’ ହେବ ଅଧିକ ଆକର୍ଷଣୀୟ
ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି ଉପରେ ମଧ୍ୟ ବୈଠକରେ ବିଶେଷ ଆଲୋଚନା ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାର ‘କଟକ-ଇନ୍-କଟକ’କୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମେୟର ଶ୍ରୀ ସିଂହ କହିଥିଲେ। କଟକର ଐତିହ୍ୟ, କଳା, ସଂସ୍କୃତି ଓ ସହରର ବିଶିଷ୍ଟ ପରିଚୟକୁ ଏହା ମାଧ୍ୟମରେ ଆହୁରି ସୁନ୍ଦର ଭାବେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହାକୁ ସଫଳ କରିବା ପାଇଁ ସମସ୍ତ କର୍ପୋରେଟରଙ୍କ ସହଯୋଗ ଲୋଡ଼ିଥିଲେ ମେୟର।
ବୈଠକ ଶେଷରେ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ମେୟର ଶ୍ରୀ ସୁବାସ ସିଂହ, କମିଶନର ସୁଶ୍ରୀ କିରଣଦୀପ କୌର ସହୋତା, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଶ୍ରୀ ପ୍ରଦୀପ କୁମାର ରାଉତ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ଶ୍ରୀମତୀ ଏ. ଶ୍ରୀଦେବୀ, ଶ୍ରୀମତୀ ମୋନାଲିଶା ଦାସ ଓ ଶ୍ରୀମତୀ ଦୀପ୍ତିମୟୀ ମୂଳିଆ, ବିରୋଧୀ ଦଳ ନେତା ଶ୍ରୀ ସନ୍ତୋଷ ଭୋଳ, ବିଧାୟିକାଙ୍କ ପ୍ରତିନିଧି ଶ୍ରୀ କେଦାର ପୃଷ୍ଟି, ଗୋପାଳ ବେହେରା, କର୍ପୋରେଟର ବସନ୍ତ କୁମାର ବେହେରା, ପ୍ରଦୀପ କୁମାର ସାହୁ, ଦୀପକ ଦାସ, ଚୌଧୁରୀ ସୁବ୍ରତ ଘଡ଼େଇ, ଯତୀନ କୁମାର ବେହେରା, ଚନ୍ଦନ ଜେନା, ଅରବିନ୍ଦ ଜେନା, ପୁଷ୍ପିତା ମହାନ୍ତି, ପ୍ରିୟମ୍ବଦା ମହାନ୍ତି, ମମତା ନାୟକ, ନମିତା ବାରିକ, ଆରତୀ ସାହୁ,ବଟକୃଷ୍ଣ ସାହୁ , ଭାନୁ ସେନାପତି ଦୀପାଞ୍ଜଳି ସିଂ, ଲିଜାରାଣୀ ରାଉତ, ଅରୁନ୍ଧତୀ କର, ଇତିଶ୍ରୀ ଦାସ, କେ. ଜେଡ୍. ଆଫ୍ରିନ ଓ ସୁମିତ୍ରା ବସ୍ତିଆଙ୍କ ସମେତ ସମସ୍ତ କର୍ପୋରେଟର ,କଟକ ମହାନଗର ନିଗମର ବିଭିନ୍ନ ଅଧିକାରୀ, ଯନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *