
କଟକ, ତା ୦୨.୧୦.୨୦୨୬ ରିଖ – ଏଡ୍ସ ଓ ଯୌନ ସଂକ୍ରମିତ ରୋଗ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ଏହାର ପ୍ରତିରୋଧ ବାର୍ତ୍ତାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ କଟକ ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ରେଡ୍ ରନ୍ ୨.୦ ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ୍ରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା, ଅନ୍ଧବିଶ୍ଵାସ ଦୂର କରିବା ଏବଂ ସଂକ୍ରମଣ ପ୍ରତିରୋଧ ଦିଗରେ ସମାଜର ପ୍ରତ୍ୟେକ ବର୍ଗ ବିଶେଷକରି ଯୁବପିଢ଼ି ସଚେତନ ହେବା ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ଵାରୋପ କରିଥିଲେ । ଉଦ୍ଯାପନୀ ସମାରୋହରେ ଏସ୍ସିବି ମେଡିକାଲ୍ କଲେଜର ଡାକ୍ତରୀ ଛାତ୍ରଛାତ୍ରୀମାନେ ଏଚ୍ଆଇଭି/ଏଡ୍ସ ସଚେତନତାକୁ ନେଇ ଫ୍ଲାଶ୍ମବ୍ ଓ ଷ୍ଟ୍ରିଟ୍ ପ୍ଲେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କଟକ ମହାନଗର ନିଗମ ମେୟର ସୁବାଷ ଚନ୍ଦ୍ର ସିଂହ, କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସହୋତା , କଟକ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସ୍ବାଇଁ, ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଫେସର ଡା. ଜୟନ୍ତ ପଣ୍ଡା, ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନରୁପେନ୍ଦ୍ର କୁମାର ଶତପଥି, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଚନ୍ଦନ ଗଡନାୟକ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅଶୋକ କୁମାର ଦାସ, ଜିଲ୍ଲା ଜନସ୍ୱାସ୍ଥ୍ୟ ଏବଂ ସୂଚନା ଅଧିକାରୀ ଶ୍ରୀମତୀ ମନ୍ଦାକିନୀ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବାଗତିକା ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଙ୍ଗାଧର ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଟି ନାରାୟଣ ରାଓ, ଦେବବ୍ରତ ମହାପାତ୍ର, ଜିଲ୍ଲା ସମନ୍ଵିତ ପରାମର୍ଶ ଏବଂ ପରୀକ୍ଷା କେନ୍ଦ୍ର ପରିଦର୍ଶୀକା ଅଞ୍ଜଳି ଦାସଙ୍କ ସମେତ OSACSର ସହଯୋଗୀ ସଂଗଠନଗୁଡ଼ିକର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ମାରାଥନ୍ରେ ୩ ଜଣ ବାଳିକା ଓ ୩ ଜଣ ବାଳକ ବିଜୟୀ ହୋଇଛନ୍ତି । ବିଜୟୀ ପ୍ରତିଯୋଗୀ ଆଗାମୀ ରାଜ୍ୟସ୍ତରୀୟ ରେଡ୍ ରନ୍ ମାରାଥନ୍ରେ ଅଂଶଗ୍ରହଣ କରିବେ।