ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନସିକ ସୁସ୍ଥତା ଉପରେ ମାନସ ମନ୍ଥନ ଅଧିବେଶନ ଆୟୋଜିତ

ବାରିପଦା ୨୯/୦୯/୨୦୨୬
(କ: ବ୍ଯୁ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ପକ୍ଷରୁ “ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନସିକ ସୁସ୍ଥତା: ଶୈକ୍ଷିକ ଚାପ, ଦୀର୍ଘକାଳୀନ ଚାପ ଏବଂ ଭାବପ୍ରବଣଗତ ସମସ୍ୟା ପରିଚାଳନା” ଶୀର୍ଷକ ଏକ ମାନସ ମନ୍ଥନ ଅଧିବେଶନ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ପିଏମ୍ ଉଷା ପ୍ରାୟୋଜିତ ଓ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଛାତ୍ର, ଶିକ୍ଷକ ଅଧ୍ୟାପକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏବଂ ମାନସିକ ସୁସ୍ଥତା ପ୍ରତି ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ର ମାନସିକ ରୋଗ ବିଭାଗର ପ୍ରଫେସର ସୁଜାତା ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ବୈଜ୍ଞାନିକ ପ୍ରମାଣ ଏବଂ ପ୍ରାସଙ୍ଗିକ ସାମାଜିକ ଏବଂ ମନସ୍ତାତ୍ତ୍ୱିକ ତଥ୍ୟକୁ ଆଧାର କରି ଦୀର୍ଘକାଳୀନ ଚାପର ପ୍ରାରମ୍ଭିକ ଲକ୍ଷଣ, ଭାବପ୍ରବଣ ସ୍ଥିରତାର ଗୁରୁତ୍ୱ ଏବଂ ଶିକ୍ଷାଗତ, ବୃତ୍ତିଗତ ଏବଂ ବ୍ୟକ୍ତିଗତ ଚାପ ପରିଚାଳନା ପାଇଁ ବ୍ୟବହାରିକ ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ ମାନସିକ ସୁସ୍ଥତାକୁ ଶିକ୍ଷାଗତ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ବୋଲି ଅଭିହିତ କରିବା ସହ ମାନସିକ ସୁସ୍ଥତା ନିମିତ୍ତ ସୁସ୍ଥ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହା ପରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ରେ ଅଂଶଗ୍ରହଣକାରୀମାନେ ବକ୍ତାଙ୍କ ସହ ଶିକ୍ଷାଗତ ଚାପ, କର୍ମକ୍ଷେତ୍ର ଚାପ, ଭାବପ୍ରବଣ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଦାବିର ମୁକାବିଲା ପାଇଁ ରଣନୀତି ସମ୍ପର୍କରେ ସକ୍ରିୟ ଭାବରେ ଆଲୋଚନା କରିଥିଲେ । ସିଡିଓଇର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ବିଭାଗର ସହକାରୀ ପ୍ରଫେସର ଡ. ସୁଜାତା ପଣ୍ଡା ପ୍ରାରମ୍ଭିକ ମନ୍ତବ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଇଂରାଜୀ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ଅଭିପ୍‌ସା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *