
କଟକ, ୬।୯: ବିଗତ ତିନି ବର୍ଷ ଧରି ସଫଳତାର ସହ ଆୟୋଜିତ ହୋଇଆସୁଥିବା ଓଡ଼ିଶା ପ୍ରଫେସନାଲ ପ୍ରିମିୟର ଲିଗ୍ (ପିପିଏଲ୍)ର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ମାସରେ ଆୟୋଜିତ ହେବ। ଏହି ଅବସରରେ ଆଜି କଟକରେ ଖେଳାଳି ଚୟନ ପାଇଁ ଅକ୍ସନ୍ ଅନୁଷ୍ଠିତ ହେଉଛି।
ରାଜ୍ୟର ବିଭିନ୍ନ ପ୍ରମୁଖ ସଂସ୍ଥାରେ କାର୍ଯ୍ୟରତ ଅର୍ଥ ବିଶେଷଜ୍ଞ ଓ ବୃତ୍ତିଗତମାନଙ୍କୁ ନେଇ ଏହି ନିଆରା କ୍ରିକେଟ୍ ଲିଗ୍ ଆୟୋଜିତ ହୋଇଆସୁଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ), କମ୍ପାନୀ ସେକ୍ରେଟାରୀ (ସିଏସ୍) ଏବଂ କଷ୍ଟ ଆଣ୍ଡ ୱାର୍କସ୍ ଆକାଉଣ୍ଟାଣ୍ଟସ୍ (ସିଡବ୍ଲ୍ୟୁଏ)ମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।
ଚଳିତ ବର୍ଷ ପ୍ରତିଯୋଗିତାରେ ମାର୍କେଟ୍ ମିଷ୍ଟର୍ସ, କ୍ୟାପିଟାଲ୍ ଚ୍ୟାଲେଞ୍ଜର୍ସ, ଆକାଉଣ୍ଟସ୍ ଆର୍ମି, ଟ୍ୟାକ୍ସ ଟାଇଟାନ୍ସ ଓ ଫାଇନାନ୍ସ ଗ୍ଲାଡିଏଟର୍ସ ନାମରେ ୫ଟି ଦଳ ଅଂଶଗ୍ରହଣ କରିବେ। ପ୍ରାୟ ୮୦ ଜଣ ଖେଳାଳିଙ୍କୁ ନେଇ ଦଳଗୁଡ଼ିକ ଗଠିତ ହେବ। ରନ୍ ଓ ୱିକେଟ୍ର ରୋମାଞ୍ଚ ସହିତ ବୃତ୍ତିଗତମାନଙ୍କ ମଧ୍ୟରେ କ୍ରୀଡ଼ାଭାବ, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଓ ପାରସ୍ପରିକ ସମ୍ମାନ ବୃଦ୍ଧି କରିବା ଏହି ଲିଗ୍ର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରଥମ ତିନିଟି ସଂସ୍କରଣର ସଫଳତା ପରେ ପ୍ରଫେସନାଲ ପ୍ରିମିୟର ଲିଗ୍ ଏବେ ବୃତ୍ତିଗତ ସମ୍ପର୍କ, ଫିଟନେସ୍ ଓ ନିରପେକ୍ଷ କ୍ରୀଡ଼ା ପ୍ରଦର୍ଶନର ଏକ ସ୍ୱତନ୍ତ୍ର ମଞ୍ଚ ଭାବେ ପରିଚିତ ହୋଇପାରିଛି। ପ୍ରତିଯୋଗିତାର ବିଜେତା ଦଳକୁ ୫୦ ହଜାର ଟଙ୍କା ଏବଂ ରନର୍ସଅପ୍ ଦଳକୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଇପିଏଲ୍ ଢାଞ୍ଚାରେ ଏହି ଲିଗ୍ ଆୟୋଜନ କରାଯାଉଛି। ଆଇସିସିର ନିୟମାବଳୀ ଅନୁଯାୟୀ ମ୍ୟାଚ୍ଗୁଡ଼ିକ ପରିଚାଳିତ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସ୍ୱୀକୃତିପ୍ରାପ୍ତ ଖେଳପଡ଼ିଆରେ ମ୍ୟାଚ୍ ଅନୁଷ୍ଠିତ ହେବା ସହ ଓସିଏ ସ୍ୱୀକୃତିପ୍ରାପ୍ତ ଅମ୍ପାୟାରମାନେ ମ୍ୟାଚ୍ ପରିଚାଳନା କରିବେ।
ଏହି ଲିଗ୍ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଆର୍ଥିକ ଓ ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିଛି। ଆଗାମୀ ଦିନରେ ଏଭଳି ଅଧିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରି ଅଧିକ ସଂଖ୍ୟକ ବୃତ୍ତିଗତଙ୍କୁ ସାମିଲ କରିବା ପାଇଁ ଆୟୋଜକମାନେ ଲକ୍ଷ୍ୟ ରଖିଛନ୍ତି।