ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ଥାନା କାଚପଲ୍ଲିରେ ହତ୍ଯାକାଣ୍ଡ । ସ୍ତ୍ରୀକୁ ହତ୍ଯା କରି ସ୍ବାମୀ ଫେରାର୍ । ଦୁଇଦିନ ତଳୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ବାପା ମା ଘରକୁ ଆସିବା ସମୟରେ ଘର ଭିତରୁ ଗନ୍ଧ ବାହାରୁଥିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ମୃତଦେହ ପଡିଥିବା ଦେଖିଥିଲା । ମୃତକ ହେଲେ ରଜନୀ ପ୍ରଧାନ । ଅଭିଯୁକ୍ତ ସ୍ବାମୀ ହେଲେ ଜଳନ୍ଧର ଜାନୀ । ପ୍ରଥମ ସ୍ତ୍ରୀ କୌଣସି କାରଣରୁ ତିନୋଟି ପିଲାଙ୍କୁ ନେଇ ପଳାଇଯିବା ପରେ ଜଳନ୍ଧର ଗତ ଦୁଇବର୍ଷ ତଳେ ବରକୋଳା ଗାଁର ଗଙ୍ଗା ପ୍ରଧାନଙ୍କ ଝିଅ ରଜନୀଙ୍କୁ ବିବାହ କରିଥିଲେ । ଜଳନ୍ଧର ପ୍ରାୟ ସମୟରେ ନିଶା ସେବନ କରି ରଜନୀଙ୍କୁ ମାରପିଟ କରନ୍ତି । ଗତ ସୋମବାର ରାତିରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ସ୍ଥାନୀୟଲୋକ ଶୁଣିଛନ୍ତି । ଏହାପରଠାରୁ ରଜନୀଙ୍କୁ କେହି ଦେଖିନଥିବାବେଳେ ଜଳନ୍ଧର କିନ୍ତୁ ଗତକାଲି ଘରେ ଥିଲେ । ଆଜି ଅପରାହ୍ନରେ ରଜନୀଙ୍କ ମା ଏବଂ ଭାଇ କୌଣସି କାରଣରୁ ଝିଅ ଘରକୁ ଆସିବାରୁ ଘଟଣା ଜଣାପଡିଥିଲା । ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡିଥିବା ଦେଖି ସେମାନେ ପୋଲିସକୁ ଖବର ଦେଇଥିଲେ । ନୟାଗଡ ଏସଡିପିଓ , ନୂଆଗାଁ ଥାନାଅଧିକାରୀ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ନିକଟରେ ରକ୍ତ ପଡିଥିବାରୁ ରଜନୀଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ବ୍ଯବଛେଦ ପରେ କିଭଳି ହତ୍ଯା କରାଯାଇଛି ନା ଆତ୍ମହତ୍ଯା ତାହା ସ୍ପଷ୍ଟହେବ ବୋଲି ଏସଡିପିଓ କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ