ରାୟଗଡ଼ରେ ତିନିଟି ପୁସ୍ତକର ଭବ୍ୟ ଲୋକାର୍ପଣ ଓ କବି ସମ୍ମିଳନୀ


ରାୟଗଡ଼:(ତପନ କୁମାର କାଡ୍ରାକା )ଶ୍ରାବଣ ଏକାଦଶୀ ତିଥିରେ ରାୟଗଡ଼ ନଗରସ୍ଥିତ ଶାସ୍ତ୍ରୀନଗର ରୟତ କଲୋନି ସତ୍ୟସାଇ ସେବା ସଦନ ପରିସରରେ ଏକ ଭବ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଡଃ ରତି ରଞ୍ଜନ ଦାଶଙ୍କ ବ୍ୟଙ୍ଗଗଳ୍ପ ସଂକଳନ ‘ମହାବାହୁ ବର୍ଷା, ବନ୍ୟା, ବାତ୍ୟା ଲାଗି ରହୁ’, କବିତା ସଂକଳନ ‘ମୀନ ନୟନାରେ’ ଏବଂ ଯୁବ ପ୍ରତିଭା କବି ଶ୍ରୀ ସୁବାସ ବେହେରାଙ୍କ କବିତା ସଂକଳନ ‘ଶବ୍ଦର ତାଜମହଲ’ଲୋକାର୍ପିତ ହୋଇଥିଲା।ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଡଃ ବାଦଲ କୁମାର ତା, ମୁଖ୍ୟ ବକ୍ତା ଭାବେ ଶ୍ରୀ ସଦାଶିବ ରାଜଗୁରୁ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ଗୌରଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀ ନିରଞ୍ଜନ ତ୍ରିପାଠୀ (ବ୍ରହ୍ମପୁର), ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ଶ୍ରୀ ଅଶୋକ କୁମାର ବିଶ୍ୱାଳ, ଏମ୍. ସତୀଶ, ଶ୍ରୀ ସୋମେଶ୍ୱର ରାଓ, ଶ୍ରୀ ଲଳିତ ମୋହନ ଜେନା ଓ ଶ୍ରୀ ଜୟଦେବ ସିଠ ଉପସ୍ଥିତ ରହି ପୁସ୍ତକଗୁଡ଼ିକୁ ଲୋକାର୍ପଣ କରିଥିଲେ।କାର୍ଯ୍ୟକ୍ରମର ସଭାପତି ଡଃ ରତି ରଞ୍ଜନ ଦାଶଙ୍କ ପରାମର୍ଶକ୍ରମେ କୃତବିଦ୍ୟା କବୟିତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଓ ପ୍ରତିଭାବାନ କବି ଶ୍ରୀ ପ୍ରଦୀପ କୁମାର ନାୟକ ସୁନ୍ଦର ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ବିଧିବିଧାନ ପୂର୍ବକ ଅତିଥିମାନଙ୍କ ମଞ୍ଚାସୀନ, ପରିଚୟ ପ୍ରଦାନ, ଦୀପ ପ୍ରଜ୍ୱଳନ, ଆଧ୍ୟାତ୍ମିକ ଭଜନ ଓ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପରେ ପୁସ୍ତକ ଉନ୍ମୋଚନ, ଅତିଥିମାନଙ୍କ ମାର୍ଗଦର୍ଶନ ଏବଂ କବି-କବୟିତ୍ରୀମାନଙ୍କ ଦ୍ୱାରା କବିତା ଓ ଗଳ୍ପ ପାଠ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ବିଶେଷ ଆକର୍ଷଣ ଥିଲା କବି-କବୟିତ୍ରୀମାନଙ୍କୁ ସ୍ୱରଚିତ କବିତା ପାଠ ପାଇଁ ଉପାୟନ ପ୍ରଦାନ କରି ସମ୍ମାନିତ କରାଯିବା। ଏହି ଭବ୍ୟ କବି ସମ୍ମିଳନୀରେ କୁନା ମହାପାତ୍ର, ଅରୁଣ କୁମାର ପାଣିଗ୍ରାହୀ, ନୀଳମଣି ପାଟଯୋଶୀ, ହୃଷୀକେଶ ରଥ, ଶ୍ରୀଧର ପଟ୍ଟନାୟକ, ଅହଲ୍ୟା ମହାରଣା, ମହେଶ୍ୱେତା ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ପ୍ରଶାନ୍ତି ସାହୁ, କଲ୍ୟାଣୀ ଶାସମଲ, ତ୍ରିବେଣୀ ମିଶ୍ର, ସସ୍ମିତା ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଅରୁଣ କୁମାର ଲେଙ୍କା, ଆଦର୍ଶରାଜ ପାଟଯୋଶୀ, ପପିନୀ ମହାରଣା, ଲୋକନାଥ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ କବି-କବୟିତ୍ରୀ ସ୍ୱରଚିତ କବିତା ପାଠ କରି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ନିଜର ଅବଦାନ ରଖିଥିଲେ।ଶେଷରେ କବି ଶ୍ରୀଧର ପଟ୍ଟନାୟକ ସମସ୍ତ ସାରସ୍ୱତ ସାଧକ-ସାଧିକା ଓ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସତ୍ୟସାଇ ସେବା ସଦନର କର୍ମକର୍ତ୍ତାମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇବା ପରେ ସାମୂହିକ ପ୍ରସାଦ ସେବନ ସହିତ ଅନୁଷ୍ଠାନର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *