




କଟକ, ୦୯ ଅଗଷ୍ଟ ୨୦୨୬: ଶିକ୍ଷା, ସାହିତ୍ୟ ଓ ପ୍ରକାଶନର ସହର ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା କଟକ। ବ୍ରିଟିଶ ସମୟରୁ ଏଠାରେ ପ୍ରକାଶନ ଶିଳ୍ପର ଆରମ୍ଭ ହେଉ କିମ୍ବା ପରବର୍ତ୍ତୀ ସମୟରେ ବହି ପାଇଁ ଏକ ସ୍ବତନ୍ତ୍ର ବଜାରର ପ୍ରତିଷ୍ଠା, ସବୁ କ୍ଷେତ୍ରରେ କଟକ, ରାଜ୍ୟକୁ ଭିନ୍ନ ଏକ ବାର୍ତ୍ତା ଦେଇଛି। ପ୍ରକାଶନୀ ଶିଳ୍ପର ମୁଳଦୁଆ ଏହି ସହରରୁ ହିଁ ପଡ଼ିଥିଲା। ତେବେ କଟକ ମହାନଗର ନିଗମ ଇତି ମଧ୍ୟରେ ୧୫୦ ବର୍ଷ ପୂରଣ କରିଛି। ଏହି ଦେଢ଼ଶହ ବର୍ଷ ଯାତ୍ରାରେ ବିଭିନ୍ନ ବର୍ଗର ଲୋକଙ୍କର ସହଯୋଗ ଓ ନିଷ୍ଠା ତଥା କଟକକୁ ସମୃଦ୍ଧ କରିବାରେ ସେମାନଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ରକାଶନୀ ଶିଳ୍ପ କ୍ଷେତ୍ରରେ ଶ୍ରୀଯୁକ୍ତ ଗଙ୍ଗାଧର ତ୍ରିପାଠୀଙ୍କର ୬ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ଷାଠିଏ ଦଶକରେ ବାଲୁ ବଜାରରେ ‘ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ’ ସଂସ୍ଥା ପ୍ରତିଷ୍ଠା କରି ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଜଗତକୁ ବହୁ ମାତ୍ରାରେ ବଳିଷ୍ଠ କରିଛନ୍ତି। ତାଙ୍କ ପ୍ରକାଶନୀ ମାଧ୍ୟମରେ ବହୁ ସମୃଦ୍ଧ ଓ ସାରସ୍ବତ ଲେଖକଙ୍କର କୃତୀକୁ ଆଜି ଅମର ହେଇଛି।
ଏହି ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଓ କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା ଗଙ୍ଗାମନ୍ଦିର ନିକଟ ଶ୍ରୀ ତ୍ରିପାଠୀଙ୍କ ବାସଭବନରେ ପହଞ୍ଚି ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତିକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧନା ପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ତାଙ୍କ ଭଳି ଜଣେ ଉଦ୍ୟମୀ ଏବଂ ସାହିତ୍ୟାନୁରାଗୀ ବ୍ୟକ୍ତିଙ୍କୁ ପାଇ କଟକ ଗର୍ବିତ ଓ ଆଗାମୀ ପିଢ଼ିପାଇଁ ତାଙ୍କର ସର୍ଜନଶୀଳ ସୃଷ୍ଟି ନିଶ୍ଚିୟ ଏକ ଅଲୋକବର୍ତ୍ତିକା ବୋଲି ମେୟର ଶ୍ରୀ ସିଂହ ଉଲ୍ଲେଖ କରିଥିଲେ। ଓଡି଼ଶା ପ୍ରକାଶନୀ ଜଗତରେ ଶ୍ରୀଯୁକ୍ତ ତ୍ରିପାଠୀ ଜଣେ ବର୍ଷିଆନ୍ ବ୍ୟକ୍ତି ଓ ତାଙ୍କର ମାର୍ଗଦର୍ଶନରେ ନୂଆପିଢିର ପ୍ରକାଶକ ଆମ ସାରସ୍ବତ ଜଗତକୁ ଆହୁରି ବଳିଷ୍ଠ କରିବେ ବୋଲି ସୁଶ୍ରୀ ସହୋତା ମତ ପ୍ରକାଶ କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ବରିଷ୍ଠ କର୍ପୋରେଟର ଶ୍ରୀ ବିକାଶ ଚନ୍ଦ୍ର ବେହେରା, ଓଡ଼ିଶା ପ୍ରକାଶକ ସଂଘର ସଂପାଦକ ଶ୍ରୀ ଅଜୟ କୁମାର ପଣ୍ଡା, ଉପଦେଷ୍ଟା ଶ୍ରୀ ସୁଧାଂଶୁ ପ୍ରଧାନ, ଶ୍ରୀ ଶୁଭେନ୍ଦୁ ଶେଖର ରଥ, ଦୈନିକ ସମାଜର ପୂର୍ବତନ ସଂପାଦକ ଶ୍ରୀ ସୁଶାନ୍ତ ମହାନ୍ତି, ଗଙ୍ଗାମନ୍ଦିର ପୂଜାକମିଟିର ସଂପାଦକ ଶ୍ରୀ ବୁଲୁ ସିଂହ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନର ଶ୍ରୀ ଶକ୍ତିପ୍ରସାଦ ତ୍ରିପାଠୀ, ଶ୍ରୀ ବିଭୂପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଗଙ୍ଗାଧର ତ୍ରିପାଠୀଙ୍କ ସହଧର୍ମିଣୀ ବାସନ୍ତୀ ତ୍ରିପାଠୀଙ୍କ ସହ ତାଙ୍କ ଝିଅ ମାନସୀ ଦାସ, ପୁତ୍ରବଧୁ ଇତିଶ୍ରୀ ତ୍ରିପାଠୀ ଓ ନର୍ମଦା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମେୟର ଓ କମିଶନରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।