




କଟକ: କାଉଡ଼ିଆ ଯାତ୍ରାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଗଡ଼ଗଡ଼ିଆ ଘାଟରେ ତୀର୍ଥଯାତ୍ରୀ ଓ କାଉଡ଼ିଆଙ୍କ ସୁରକ୍ଷା, ସ୍ୱଚ୍ଛତା ଓ ଆବଶ୍ୟକ ସୁବିଧା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ସିଂହ ଏବଂ କମିଶନର ଶ୍ରୀମତୀ କିରଣ ଦୀପ କୌର ଗଡ଼ଗଡ଼ିଆ ଘାଟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ଘାଟ ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ, ନିରାପତ୍ତା, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ପୋଲିସ ପାଟ୍ରୋଲିଂ ଏବଂ ଜନସାଧାରଣଙ୍କ ସୁରକ୍ଷା ଆଦି ବିଷୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଘାଟରେ ଯେପରି କୌଣସି ପ୍ରକାର ଅଘଟଣ ନ ଘଟେ ଏବଂ ଶ୍ରଦ୍ଧାଳୁମାନେ ନିରାପଦ ଓ ସୁବ୍ୟବସ୍ଥିତ ଭାବେ ଯାତ୍ରା ସମ୍ପନ୍ନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯାଇଥିଲା।
ବିଶେଷକରି ନିରାପତ୍ତା ଦିଗରେ ସତର୍କତା ଅବଲମ୍ବନ ସହ ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଆଲୋଚନା କରାଯାଇଥିଲା। ଏଥିସହ ଘାଟ ଓ ଏହାର ଆଖପାଖ ଅଞ୍ଚଳରେ ନିୟମିତ ସଫେଇ, ଆବର୍ଜନା ଉଠାଣ, ଶୌଚାଳୟ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଘାଟ ଅଞ୍ଚଳରେ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ସକ୍ରିୟ କରିବା ଉପରେ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଯାତାୟାତ ସୁବିଧା, ଭିଡ଼ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ସେବା ଉପଲବ୍ଧତା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ପରିଦର୍ଶନରେ କଟକ ମହାନଗର ନିଗମର କର୍ପୋରେଟର ଶ୍ରୀ ବିକାଶ ବେହେରା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା, ଶ୍ରୀମତୀ ଲିଜାରାଣୀ ରାଉତ, ପରିମଳ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ବେହେରା, ସାନିଟାରୀ ଇନ୍ସପେକ୍ଟରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଦର୍ଶନ ଓ ସମୀକ୍ଷାରେ ସାମିଲ ହୋଇଥିଲେ।
କଟକ ମହାନଗର ନିଗମ ପକ୍ଷରୁ କାଉଡ଼ିଆ ଯାତ୍ରା ସମୟରେ ଘାଟ ଅଞ୍ଚଳକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ରଖିବା ସହ ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।