




• ସୁରକ୍ଷା ଓ ଦୈନିକ ସ୍ଵଚ୍ଛତା ଉପରେ ମେୟରଙ୍କ ଫୋକସ୍
• ଅସ୍ଥାୟୀ କ୍ୟାମ୍ପ ଅଫିସ, ପାନୀୟଜଳ ସୁବିଧା, ସ୍ଵାସ୍ଥ୍ୟସେବା ଶିବିର ବୁଲି ଦେଖିଲେ
• ନିର୍ଦ୍ଧାରିତ ବ୍ୟାରିକେଡ୍ ମଧ୍ୟରେ ରହି ଜଳ ଉଠାଇବାକୁ ଭକ୍ତଙ୍କୁ ନିବେଦନ କଲେ ମେୟର
କଟକ, ୦୯ ଅଗଷ୍ଟ ୨୦୨୬: ଶ୍ରାବଣ ସୋମବାରର ପ୍ରସିଦ୍ଧ କାଉଡ଼ିଆ ଯାତ୍ରା ଅବସରରେ କଟକ ମହାନଗର ନିଗମ ପକ୍ଷରୁ ମହାନଦୀର ଗଡ଼ଗଡ଼ିଆ ଘାଟରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳରେ ଦୈନିକ ସ୍ଵଚ୍ଛତା ରକ୍ଷା ସହ ସମସ୍ତଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ଭାବେ କାମ କରୁଛନ୍ତି କେଏମସିର ବିଭିନ୍ନ ବିଭାଗର କର୍ମଚାରୀ। ଆଜି କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଏବଂ କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା ଗଡ଼ଗଡ଼ିଆ ଘାଟରେ ପହଞ୍ଚି କାଉଡ଼ିଆ ଯାତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ କେଏମସି, ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସୁରକ୍ଷା ଏବଂ ସ୍ଵଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭକ୍ତମାନେ ନିର୍ଦ୍ଧାରିତ ବ୍ୟାରିକେଡ୍ ମଧ୍ୟରୁ ଜଳ ଉଠାଇବାକୁ ମେୟର ଶ୍ରୀ ସିଂହ ନିବେଦନ କରିଥିଲେ।
ବିଭିନ୍ନ ପାଳିରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ମହାନଦୀର ଐତିହାସିକ ଗଡ଼ଗଡ଼ିଆ ଘାଟରୁ ଜଳଭାର ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି। ଚଳିତବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ କାଉଡ଼ିଆମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ଭକ୍ତମାନେ ନବବସ୍ତ୍ର ପରିଧାନ କରି ବାହୁଙ୍ଗି, କଳସ, ନାରିକେଳ, ଫଳ ଓ ପୁଷ୍ପ ପ୍ରଭୃତି ସାମଗ୍ରୀ ସହ ଘାଟ ମୁଣ୍ଡରେ ପୂଜାର୍ଚ୍ଚନା କରି ନଦୀରେ ଗାଧୋଇ ମହାଦେବଙ୍କୁ ସ୍ମରଣ କରି ଯାତ୍ରା ଆରମ୍ଭ କରୁଛନ୍ତି। ଏହି ସମୟରେ ସେମାନଙ୍କ ପାଇଁ ଆବଶ୍ୟକୀୟ ଶୌଚାଳୟ, ପାନୀୟ ଜଳ, ଫାଷ୍ଟଏଡ୍ କ୍ୟାମ୍ପ, ବସ୍ତ୍ର ପରିବର୍ତ୍ତନ କକ୍ଷ ଓ ଆଲୋକୀକରଣ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି।
ମହାନଦୀରେ ଭୀଷଣ ଜଳପ୍ରବାହ ଥିବାରୁ ଘାଟରେ ହୋଇଥିବା ନିର୍ଦ୍ଧାରିତ ବ୍ୟାରିକେଡର ଉଭୟ ମୁଣ୍ଡରେ ଦୁଇଟି ସୁରକ୍ଷା ବୋଟ୍ ସହିତ ସୁରକ୍ଷାକର୍ମୀମାନେ ମୁତୟନ ଅଛନ୍ତି। ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯିବା ସହ ସୂଚନା କେନ୍ଦ୍ରରେ ମାଇକ୍ ଯୋଗେ ସମୟ ସମୟରେ ବିଭିନ୍ନ ପ୍ରକାରର ସୂଚନା ପ୍ରଦାନ କରାଯାଉଛି।
କେଏମସିର ଏସଆଇ, ସ୍ଵଚ୍ଛକର୍ମୀ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ସମୟରେ କଟକ ମହାନଗର ନିଗମର ଓ୍ଵାର୍ଡ ନଂ ୧୬ର କର୍ପୋରେଟର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା, ଓ୍ଵାର୍ଡ ନଂ ୧୫ର କର୍ପୋରେଟର ଶ୍ରୀମତୀ ଲିଜାରାଣୀ ରାଉତ, ଓ୍ଵାର୍ଡ ନଂ ୯ର କର୍ପୋରେଟର ଶ୍ରୀ ବିକାଶ ବେହେରା, କେଏମସିର ଡେପୁଟି କମିଶନର (ସାନିଟେସନ) ଶ୍ରୀ ଜୁବୁଲି ଚରଣ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।