କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ


କଟକ,ତା ୩୦.୦୭.୨୦୨୬ : କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ କଟକ ଜିଲ୍ଲାର ସଡକ ସୁରକ୍ଷା ସଂପର୍କିତ କାର୍ଯ୍ୟକଳାପର ସମୀକ୍ଷା କରାଯାଇଥିଲା । କଟକ ସହରରେ ରାସ୍ତାଗୁଡିକରେ ଥିବା ହମ୍ପସରେ ରେଡିୟମ ଲାଇଟ ଲଗାଇବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥରେ ଜନସାଧାରଣଙ୍କ ସୁରକ୍ଷା,ବିଶେଷକରି ବେଆଇନ ପାର୍କିଂ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସଂପର୍କରେ ଆଲୋଚନା କରାଯାଇଥିଲା । ବାରଙ୍ଗ-ତ୍ରିଶୂଳିଆ ରାସ୍ତାରେ ଥିବା ଅନାବଶ୍ୟକ ହମ୍ପ୍ସ ଗୁଡିକୁ ତୁରନ୍ତ ହଟାଇବା ସହ ଆବଶ୍ୟକ ସ୍ଥାନରେ ରମ୍ବଲର ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜେବ୍ରା କ୍ରଶିଙ୍ଗ ଗୁଡିକ ପୁନଃ ରଙ୍ଗ କରିବା ନେଇ ଭାରତୀୟ ଜାତୀୟ ରାଜପଥ ପାଧିକରଣ , ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ସମୟ ସମୟରେ ଚଢ଼ାଉ ଓ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇ ମଦ୍ୟପାନ କରି ଗାଡି ଚଲାଉଥିବା , ବିନା ହେଲମେଟରେ ଗାଡି ଚଲାଉଥିବା ଚାଳକମାନଙ୍କଠାରୁ ପ୍ରଚଳିତ ନିୟମାନୁଯାୟୀ ଜରିମାନା ଆଦାୟ କରାଯାଉଛି। ପୂର୍ବ ବର୍ଷ ଜାନୁୟାରୀ ରୁ ଜୁନ ପର୍ଯ୍ୟନ୍ତ ୪୭,୧୧,୮୨୧ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଚଳିତ ବର୍ଷ ୫୮,୮୪,୩୧୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ପୂର୍ବ ଅପେକ୍ଷା ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ ,ଅତିରିକ୍ତ ଉପଆୟୁକ୍ତ ପୁଲିସ କମିଶନରେଟ୍ ଶ୍ରୀ ଅମରେନ୍ଦ୍ର ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ,ଏସିପି ଟ୍ରାଫିକ୍ ଶ୍ରୀ ଜୟନ୍ତ ଦୋରା,ଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିବା ସହ ଆଇଆଇଟି- ମଦ୍ରାସ ଦ୍ଵାରା ବିକଶିତ ସଡକ ସୁରକ୍ଷା ଡାସବୋର୍ଡ ସମ୍ପର୍କରେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *