ଏଲ୍‌ଏଣ୍ଡଟି କାରଖାନାରେ ସ୍ଥାନୀୟ ନିଯୁକ୍ତି ଦାବି ୫ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ରାଜଗାଙ୍ଗପୁର :- (କ. ବ୍ୟୁ.) ୨୪/୦୭/୨୬ କାଂସବାହାଲସ୍ଥିତ ଏଲଏଣ୍ଡଟି କମ୍ପାନିରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଓ ପଶ୍ଚିମାଞ୍ଜଳ ଡିଆଇଜି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ୫ଟି ପଞ୍ଚାୟତର ଜନ ପ୍ରତିନିଧ୍ ଓ ଅଞ୍ଚଳବାସୀ ସମସ୍ୟାର ସମାଧାନ ନେଇ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଦୀର୍ଘ ୬୦ବର୍ଷ ପୂର୍ବେ କଂସବାହାଲରେ ଏଲ୍‌ଏଣ୍ଡଟି କାରଖାନା ପ୍ରତିଷ୍ଠା କରିଥିବା ବେଳେ ଉକ୍ତ ସମୟରେ ତତ୍କାଳୀନ ରାଜ୍ୟପାଳଙ୍କ ମଧ୍ୟସ୍ଥିତାରେ କରିଥିବା ଚୁକ୍ତିନାମାର ସର୍ଭାବଳୀକୁ କର୍ତ୍ତୃପକ୍ଷ ପାଳନ କରୁ ନଥିବା ଅଭିଯୋଗ ହୋଇଛି। ଲିଜ୍ ସୂତ୍ରରେ କମ୍ପାନି ଅକ୍ତିଆର କରିଥିବା ଅଧୂକାଂଶ ଜମି ଅବ୍ୟବହୃତ ଅବସ୍ଥାରେ ପକାଇ ରଖୁଛି । ସ୍ଥାନୀୟ ତଥା ଜମି ହରାଇଥିବା ପରିବାରର ଯୋଗ୍ୟ ଯୁବକ ଯୁବତୀ ନିଯୁକ୍ତିକୁ ପ୍ରାଥମିକତା ନଦେଇ ବାହାର ରାଜ୍ୟର ଶ୍ରମିକ ଓ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ପୂର୍ବରୁ ଯେଉଁଠି୨ରୁ ୩ ହଜାର ଶ୍ରମିକ କାର୍ଯ୍ୟରତ ଥିଲେ ଆଜି ମାତ୍ର ପ୍ରାୟ ୩ଶହ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କାରଖାନାକୁ ମିଳୁଥିବା ବିଭିନ୍ନ ଜବ୍ ଅର୍ଡର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ପରିବର୍ତ୍ତେ କମ୍ପାନି ବାହାର ଭେଣ୍ଡରଙ୍କ ଜରିଆରେ ଏହାକୁ କରାଉଛି। କମ୍ପାନି କାରଖାନାରୁ ବାର୍ଷିକ ମୋଟା ଅଙ୍କର ଲାଭ କରୁଥିବା ବେଳେ କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସ୍‌ଆର୍) ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପାଣ୍ଠିର ଅର୍ଥକୁ ଖର୍ଚ୍ଚ କରୁନାହିଁ। ଜିଲ୍ଲା ପ୍ରଶାସନ କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀ ଓ ଶ୍ରମିକ ପ୍ରତିନିଧୂଙ୍କ ଉପସ୍ଥିତିରେ ବୈଠକ କରି ଆଲୋଚନା ମାଧ୍ୟମରେ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ସ୍ଥାନୀୟ ପାନପୋଷ, ଢେଲୁଆ, ଚୁଙ୍ଗିମାଟି, ଲାଇଙ୍ଗ ଓ ଶାଗଜୋରର ସରପଞ୍ଚ, ସମିତି ସଭ୍ୟସଭ୍ୟାଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳ ଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଦାବି ପୂରଣ ନହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *