
କଟକ : ଚାଉଳିଆଗଞ୍ଜ ଥାନା ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଅତ୍ୟନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏ ସମ୍ପର୍କରେ କଟକ ଡିସିପି ତଦନ୍ତର ଅଗ୍ରଗତି ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଡିସିପିଙ୍କ ସୂଚନା ଅନୁସାରେ, ଏହି ହାଇପ୍ରୋଫାଇଲ୍ ମାମଲାର ଭିନ୍ନ ଭିନ୍ନ ଦିଗ ଉପରେ କାମ କରିବା ପାଇଁ ପୋଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରଥମ ଟିମ୍ ବିୟୁଟି ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ମୃତ୍ୟୁ ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣି ସାରିଛି। ଦ୍ୱିତୀୟ ଟିମ୍ ମୃତ୍ୟୁ ପୂର୍ବରୁ ଆଇଆଇସି ଶେଷ ଥର ପାଇଁ ଯେଉଁମାନଙ୍କ ସହ ଯୋଗାଯୋଗରେ ଥିଲେ ସେମାନଙ୍କ ସହ କ୍ରମାଗତ ଭାବେ କଥାବାର୍ତ୍ତା ଜାରି ରଖିଛି। ଓ ତୃତୀୟ ଟିମ୍ ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣ ଉପରେ କାମ କରୁଛି ବୋଲି କହିଛନ୍ତି କଟକ ଡିସିପି । ତେବେ ଘଟଣାସ୍ଥଳରୁ ଜବତ କରାଯାଇଥିବା ମୋବାଇଲ୍ ଫୋନ୍ ସମେତ ସମସ୍ତ ଡିଜିଟାଲ୍ ପ୍ରମାଣକୁ ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲ୍ୟାବ୍ କୁ ପଠାଯାଇଥିଲା। ଲ୍ୟାବ୍ ପକ୍ଷରୁ କିଛି ପ୍ରାଥମିକ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି ଏବଂ ବାକି ରିପୋର୍ଟ ସଂଗ୍ରହ କରାଯାଉଛି। ଯେହେତୁ ମୋବାଇଲ୍ରୁ ମିଳୁଥିବା ଡାଟା ଗୁଡ଼ିକ ଅଲଗା ଅଲଗା ଭାବେ ଆସୁଛି, ତେଣୁ ପୋଲିସର ଏକ ବିଶେଷଜ୍ଞ ଦଳ ବର୍ତ୍ତମାନ ଏହାର ଗଭୀର ଆନାଲିସିସ୍ କରୁଛନ୍ତି ବୋଲି ସେ କହିଛନ୍ତି । ଜଣେ ଏଡିସିପି ପାହ୍ୟା ଅଫିସର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ସୁପରଭିଜନ କରୁଥିବା ବେଳେ ଡିସିପି ନିଜେ ମଧ୍ୟ ଏହାକୁ ମନିଟର କରୁଛନ୍ତି। ତଦନ୍ତ ସଠିକ୍ ଦିଗରେ ଚାଲିଛି ଏବଂ ପୋଲିସ ବିୟୁଟି ମହାନ୍ତିଙ୍କ ପରିବାର ଲୋକଙ୍କ ସହ ମଧ୍ୟ କ୍ରମାଗତ ଯୋଗାଯୋଗରେ ରହି ସେମାନଙ୍କ ସହାୟତା ନେଉଛି ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ପରିବାର ସଦସ୍ୟ ଲିଖିତ ଅଭିଯୋଗ କରିନଥିବା ଏବଂ କେବଳ ଅପମୃତ୍ୟୁ ବା ୟୁଡି କେସ୍ ରୁଜୁ କରି ତଦନ୍ତ କରାଯାଉଛି । ଯଦି ୟୁଡି କେସ୍ର ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ଜିନିଷ କିମ୍ବା ଅପରାଧର ଆଭାସ ମିଳେ, ତେବେ ପୋଲିସ ତୁରନ୍ତ ଏହାକୁ ନିୟମିତ ମାମଲାରେ ପରିଣତ କରି ତଦନ୍ତ ପରିସରକୁ ବଢ଼ାଇବ ବୋଲି କହିଛନ୍ତି କଟକ ଡିସିପି ।