
ଚଣ୍ଡିଖୋଲ ୧୬/୭ (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା): ଭାରତର ସବୁଠାରୁ ବୃହତ୍ତମ ବଡଦାଣ୍ଡରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲା ଛତିଆର କୁଞ୍ଜିଆ ଛକ ନିକଟରେ ଥିବା ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ ପରି ଆଜି ମଧ୍ୟ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l 16 ନମ୍ବର ଜାତୀୟ ରାଜପଥ ଦେଇ ବଡଘୁମୁରୀ ସ୍ଥିତ ମାଉସୀ ମା ମନ୍ଦିର 13 କିଲୋମିଟର ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା l ଆଜି ସକାଳୁ ମନ୍ଦିରରେ ସମସ୍ତ ପାରମ୍ପରକ ରୀତିନୀତିରେ ମୁଖ୍ୟ ପୂରଧା ଶ୍ରୀ ସତ୍ୟବାଦୀ ପଣ୍ଡା ମହାପ୍ରଭୁଙ୍କ ପୂଜାର୍ଚନା ସମାପ୍ତ କରିବାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିବିଜେ କରା ଯାଇଥିଲା l ତିନି ଠାକୁରଙ୍କୁ ରଥରୁଢ଼ ହେବାପରେ ମନ୍ଦିର ପ୍ରତିଷ୍ଠାତ ଉପେନ୍ଦ୍ର ଓଝା ଛେରାପହରା କରିଥିଲେ l ପରେ ରଥ ଟଣା କାର୍ଯ୍ୟ ଠିକ 12.25ରେ ଆରମ୍ଭ କରାଯାଇଥିଲା l ଏହି ରଥ ଟଣା ସମୟରେ 16 ନମ୍ବର ଜାତୀୟ ରାଜପଥର ଗୋଟିଏ ପାଶ୍ୱରେ ଗାଡି ମଟର ଚଳପ୍ରଚଳ ହୋଇଥିଲା l ସ୍ଥାନୀୟ ମାଜିଷ୍ଟେଟ ମାନସ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ବେଶ ଶାନ୍ତି ଶୃଙ୍ଖଳାରେ ରଥ ସନ୍ଧ୍ୟା ସମୟରେ ମାଉସୀ ମା ମନ୍ଦିର(ବଡଘୁମୁରି)ରେ ପହଞ୍ଚିଯାଇଥିଲା l ଆଇନ ଶୃଙ୍ଖଳା ଦୃଷ୍ଟିରୁ ଯାଜପୁର ପୁଲିସ ପକ୍ଷରୁ ଅତିରିକ୍ତ ଏସପି ଗିରି ସାର, ଯାଜପୁର ରୋଡ ଏସ୍ଡ଼ିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ସହିତ ଦୁଇ ଥାନାଧିକାରୀ ଏବଂ 6 ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ l ରଥ କମିଟିର ସଭାପତି ନିର୍ମଳ ସାମଲ, ଛତିଆ ସରପଞ୍ଚ ରମେଶ ପୃଷ୍ଟି, ବଡଘୁମିରି ସରପଞ୍ଚ ଅକ୍ଷୟ ରାଉତରାୟ, ପ୍ରାକ୍ତନ ସରପଞ୍ଚ ନୀଳମଣି ରାଉତ, ସମିତି ସଭ୍ୟ ଦିପକ ସାହୁଙ୍କ ସମେତ ଅନେକ ସ୍ୱେଛାସେବୀ ରଥ ଟଣାରେ ସହଯୋଗ କରିଥିଲେ l ଅନ୍ୟମାଣଙ୍କ ମଧ୍ୟରେ ସମସ୍ତ ବିଦ୍ୟୁତ ଡିପାରେଟମେଣ୍ଟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ତହସିଲ ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l