ହଜାର ବର୍ଷର ପୁରାତନ ଐତିହାସିକ କଟକ ନଗରରେ ପ୍ରସିଦ୍ଧ ରଥ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

କଟକ : ବିଶ୍ୱପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା। ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ ରଥଯାତ୍ରା। ଆଷାଢ଼ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ବର୍ଷର ପୁରାତନ ଐତିହାସିକ କଟକ ନଗରରେ ଆଜି ପ୍ରସିଦ୍ଧ ରଥ ଯାତ୍ରା ବେଶ୍ ଉତ୍ସାହ, ଉଦ୍ଦୀପନା ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ପବିତ୍ର ରଥଯାତ୍ରା ଅବସରରେ ସହରର ଜଗନ୍ନାଥ ପ୍ରେମୀ ଜନସାଧାରଣ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ରଥ ଯାତ୍ରା ପାଇଁ କଟକରେ ପ୍ରାୟ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଛି। ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମସ୍ତ ନିତିକାନ୍ତି ଶେଷ ହେବାପରେ ରଥଟଣା ଯାଇଥିଲା। ମେଘୁଆ ପାଗ, ଝିପିଝିପି ବର୍ଷା ଫଳରେ ରଥଟଣା ବାଧାପ୍ରାପ୍ତ ହୋଇଥିଲା। ନୃତ୍ୟ, ବିଭିନ୍ନ ବାଜା ରଥ ଶୋଭାଯାତ୍ରାକୁ ବେଶ୍ ଆକର୍ଷଣୀୟ କରିଥିଲା । ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ପାଇଁ ରାଣୀ ହାଟ, ଦୋଳ ମୁଣ୍ଡାଇ,
ଚାନ୍ଦିନୀଚୌକ ଓ ମର୍କତ ନଗରର ୪ ଟି ରାସ୍ତାକୁ ଏକ ତରଫା କରାଯାଇଛି । ସହରାଞ୍ଚଳ ପୋଲିସ ଅଧୀନରେ ୨୨ ଟି ରଥ ଗଡିଛି। ସୁରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଏବଂ ୧୦୬ ଜଣ ଅଫିସର ନିୟୋଜିତ ହୋଇଛନ୍ତି। ସହର ଭିତରେ ଏବଂ ଜାତୀୟ ରାଜପଥରେ ପଇଁତରା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସକାଳରୁ ମଙ୍ଗଳ ଆଳତି, ଦ୍ୱାର ପୂଜା, ସୂର୍ଯ୍ୟ ପୂଜା, ରଥ ପ୍ରତିଷ୍ଠା ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଏବଂ ସୁଦର୍ଶନଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ତିନି ଠାକୁର ପହଣ୍ଡି ବିଜେ କରି ରଥରେ ଅବସ୍ଥାପିତ ହେବା ପରେ ଛେରାପହଁରା କରାଯାଇ ରଥ ଟଣା ଯାଇଥିଲା।
ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟର ସୁଭଦ୍ରା ରଥକୁ ମହିଳାମାନେ ଟାଣି ଥିଲେ। ଏଥି ସହିତ ମହାନଦୀ ବିହାର ,ମର୍କତ ନଗର, ଯୋବ୍ରା, ବିଦ୍ୟାଧରପୁର ପ୍ରମୁଖ ସ୍ଥାନରେ ରଥଟଣା ହୋଇଥିଲା। ରଥଗୁଡ଼ିକ ବିରାଟ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ସାହି ପରିକ୍ରମା କରି ସନ୍ଧ୍ୟା ସୁଦ୍ଧା ମାଉସୀମା ମନ୍ଦିରରେ ପହଞ୍ଚିଥିଲା। ଚାନ୍ଦିନୀଚୌକ ରଥରେ ଦିନ ୧୦ଟା ରେ ପହଣ୍ଡି, ୧୨ ଟା ବେଳେ ଛେରା ପହଁରା ଏବଂ ଅପରାହ୍ନ ୨ଟାରେ ରଥଟଣା ଯାଇଥିଲା। ଚାନ୍ଦିନୀଚୌକ ଜଗନ୍ନାଥଙ୍କ ରଥ ଦିନ ୨ଟା ରୁ ବାହାରି ଡଗରପଡା, କାଫଲା, ରିଙ୍ଗ ରୋଡ ଦେଇ ରାତି ସୁଦ୍ଧା ଜୁଡିସିଆଲ ଏକାଡ଼େମୀ ନିକଟସ୍ଥ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ପହଞ୍ଚଥିଲା। ସେହିଭଳି ଦୋଳମୁଣ୍ଡାଇ ରଥ ମଧ୍ଯ ଅପରାହ୍ନ ୫ଟା ରୁ ବାହାରି ମୁଖ୍ଯ ରାସ୍ତା ପରିକ୍ରମା କରି ଗୁଣ୍ଡିଚା ମନ୍ଦିରରେ ରାତି ସୁଦ୍ଧା ପହଞ୍ଚିଥିଲା। ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ନିକଟସ୍ଥ ପଡିଆରେ ରଥଯାତ୍ରା ଅବସରରେ ଏକ ମେଳାର ଆୟୋଜନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ମହିଦାସ ବଜାରରେ ୨୫ ଫୁଟ ଉଚ୍ଚର ରଥନିର୍ମାଣ କରାଯାଇଛି। ଏହାର ୬ଟି ଚକରେ ୨୨ କିଲୋଗ୍ରାମର ରୂପା ଛାଉଣି କରାଯାଇଛି, ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଆଜି କଟକ ସହରରେ ବେଶ୍ ଶାନ୍ତି ଶୃଙ୍ଖଳାର ସହ ରଥ ଯାତ୍ରା ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ,ଡିସିପି ଋଷିକେଶ ଖିଲାରୀ, ମେୟର ସୁବାସ ସିଂ, ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟିର ବିଜୟ ସାହୁ ,ପ୍ରଫୁଲ୍ଲ ବେହେରା ପ୍ରମୁଖ ରଥଟଣାର ତଦାରଖ କରିଥିଲେ। କଟକ ସିଡିଏ ସ୍ଥିତ ସେକ୍ଟର 6 ନମ୍ବର ଠାରେ ପ୍ରଥମ ଥର ପାଇଁ ରଥଯାତ୍ରା ଆୟୋଜନ କରାଯାଇଛି। ଗୋଟିଏ ରଥ ରେ ତିନି ଠାକୁର ଅବସ୍ଥାପିତ ହୋଇ ରଥ ଟଣା ଯାଇଥିଲା। ସିଡିଏ ଅଞ୍ଚଳ ବାସୀ ମାନେ ଏହି ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ରେ ସଂପନ୍ନ କରିଛନ୍ତି। ତୁହାକୁ ତୁହା ବର୍ଷା ଯୋଗୁଁ ଶ୍ରୀଜଗନ୍ନାଥ ଙ୍କ ର ସମସ୍ତ ନିତିକ୍ରାନ୍ତ ଓ ରଥ ଟଣା ରେ ବିଳମ୍ବ ଘଟିଥିଲା।

Leave a Reply

Your email address will not be published. Required fields are marked *