ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ

କଟକ, ତା ୦୮/୦୭ – ଆସନ୍ତା ୨୦୨୭ ମସିହା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ପାଠ୍ୟଖସଡ଼ା ଆଧାରରେ ଆଜି( ବୁଧବାର) ଓଷ୍ଟାର ମୁଖ୍ୟ କାର୍ଯ୍ୟାଳୟ, ନୟାସଡ଼କ, କଟକ ଠାରେ ଉଭୟ ବସ୍ତୁନିଷ୍ଠ ଓ ଦୀର୍ଘ ଉତ୍ତରମୂଳକ ‘ ‘ଓଷ୍ଠା ଟେଷ୍ଟ ପେପର୍ସ’’ ପ୍ରକାଶିତ ହୋଇଛି । ଏହା ଆଜିଠାରୁ ବଜାରରେ ଉପଲବ୍ଧ ହେବ । ଓଡ଼ିଶା ମାଧମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପ୍ରତିବର୍ଷ ପରି ଚଳିତ ବର୍ଷ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପର୍ସକୁ ପ୍ରସ୍ତୁତ କରିଛି ବୋଲି ଓଷ୍ଟାର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ପ୍ରକାଶଥାଉକି, ଓଡ଼ିଶା ମାଧମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେବଳ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ସମ୍ପର୍କରେ କାର୍ଯ୍ୟ କରି ନଥାଏ, ରାଜ୍ୟର ଶିକ୍ଷାବ୍ୟବସ୍ଥା ଓ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭବିଷ୍ୟତ କଥା ସଦାସର୍ବଦା ଚିନ୍ତା କରିଥାଏ । ଏଣୁ ପ୍ରତିବର୍ଷ ପରି ଚଳିତ ବର୍ଷ ଅର୍ଥାତ୍ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ଟେଷ୍ଟ ପେପର୍ସ ଓଷ୍ଟା ଦ୍ଵାରା ପ୍ରସ୍ତୁତ କରାଯାଇଛି | ଟେଷ୍ଟପେପର୍ସ ପ୍ରକାଶନ କ୍ଷେତ୍ରରେ ଓଷ୍ଟା ୬୧ବର୍ଷ ଅତିକ୍ରାନ୍ତ କରିଅଛି । ଏହିବର୍ଷ ମଧ୍ୟ ଅଭିଜ୍ଞ ଶିକ୍ଷକମାନଙ୍କର ଦୀର୍ଘ ଅଭିଜ୍ଞତାକୁ ବିନିଯୋଗ କରି ଟେଷ୍ଟ ପେପର୍ସ ପ୍ରସ୍ତୁତ କରାଯାଇଛି । ଜୁଲାଇ ୮ ତାରିଖ ବୁଧବାର ଦିନ ଓଷ୍ଟା ଟେଷ୍ଟ ପେପର୍ସ ବିକ୍ରୟ ଆରମ୍ଭ ହେଉଥିବାରୁ ଏହା ସମଗ୍ର ଓଡ଼ିଶାର ବଳାରରେ ଉପଲବ୍ଧ ହେବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି । ଓଷ୍ଟା କାର୍ଯ୍ୟକାରୀ କମିଟିର ନିଷ୍ପରି ଅନୁସାରେ ଓଷ୍ଟାଦ୍ୱାରା ପ୍ରକାଶିତ ଏହି ଟେଷ୍ଟ ପେପର୍ସକୁ ସୁଲଭ ଦରରେ ଯୋଗାଇ ଦିଆଯାଉଛି । ଏହି ଟେଷ୍ଟ ପେପର୍ସ ନିର୍ଦ୍ଧାରିତ ସମୟରେ ପ୍ରକାଶିତ ହୋଇଥିବାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହାକୁ ଅଧୟନ କରି ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରୁଅଛୁ ।

ରାଜ୍ୟର ସର୍ବପୁରାତନ, ସର୍ବାଧ‌ିକ ଆଦୃତ ଏବଂ ମାଟ୍ରିକ୍ ପରୀକ୍ଷାରେ ଅଧିକ ପ୍ରଶ୍ନ ଆସୁଥିବା ‘ଓଷ୍ଟା ଟେଷ୍ଟପେପର୍ସ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କଦ୍ୱାରା ଆଦୃତ ହୋଇ ପରୀକ୍ଷାର୍ଥୀମାନଙ୍କର ଭବିଷ୍ୟତ ଗଢ଼ିବାରେ ସହାୟକ ହେଲେ ଆମର ଶ୍ରମ ସାର୍ଥକ ହେବ ବୋଲି ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ଵାଳ, କୋଷାଧକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧିଙ୍କ ସମେତ ଓଷ୍ଟା ଟେଷ୍ଟପେପର୍ସ ପ୍ରସ୍ତୁତି ଦାୟିତ୍ଵରେ ଥିବା ସଂପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଆଶା ପୋଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *