ବର୍ଷା ଜଳ ନିଷ୍କାସନ ଓ ଜାତୀୟ ରାଜପଥ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକ ଓ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଚଣ୍ଡିଖୋଲ,୭/୭,( କ ବ୍ୟୁ ) : ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୬ ନମ୍ବର ରାଜପଥ ଛତିଆ ଠାରୁ ଚଣ୍ଡିଖୋଲ ଓ ୫୩ ନମ୍ବର( କ )ଚଣ୍ଡିଖୋଲ ଠାରୁ ପଞ୍ଚୁପାଣ୍ଡବ ଛକ ପର୍ଯ୍ୟନ୍ତ ରାଜପଥ କଡରେ ଥିବା ପାଟନାଳୀରୁ ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ଗଳିପୋଲ ଓ ଆପ୍ରୋଚ ରୋଡ ସମସ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା।ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଧାୟକ ଅମର କୁମାର ନାୟକ ଓ  ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର  ଉପସ୍ଥିତରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା।ଏଥିରେ ବଡଚଣା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ରବିନ୍ଦ୍ର ପ୍ରଧାନ,ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ଜାରକା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ,ଜାତୀୟ ରାଜପଥ ଅଧିକାରୀ,ଜଳ ନିଷ୍କାସନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଧର୍ମଶାଳା ଅତିରିକ୍ତ ତହସିଲଦାର ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ ଥିଲା।ଏଥିରେ ମୂଖ୍ୟତଃ ଚଣ୍ଡିଖୋଲ ଛକ,ବନ୍ଦାଳ, କଡେଇ ଛକ,ବଡଚଣା,ପଥରାଜପୁର, ପାରିପଲେଇ ନିକଟ ରାଜପଥ ପାର୍ଶ୍ବରେ ବର୍ଷା ଜଳ ନିଷ୍କାସନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥୁଲେ।ରାଜପଥ ସଂପ୍ରସାରଣ ବେଳେ କଣ୍ଟିଗଡିଆ ମୌଜାର ଚାଷ ଜମିକୁ ଜଳ ଯୋଗାଣ ପାଇଁ ଥିବା ୧୨ ନମ୍ବର (କ) କେନାଲ ଅବରୋଧ ହଟାଇ ଜଳଯୋଗାଣ ପାଇଁ ବ୍ୟବସ୍ଥା କରିବା,କୁନ୍ଦଳ ଛକ ଠାରେ ଗଳିପୋଲ କଡ ସଂଯୋଗୀକରଣ ରାସ୍ତା ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସ୍ଥା ହୋଇଥିବା ରାଜପଥ ଅଧିକାରୀ ସୁଚନା ଦେଇଥିଲେ।ଏଥି ସହ ରେଳପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ସମୟରେ ଯଦି କେଉଁଠି ବର୍ଷା ଜଳ ନିଷ୍କାସନ ସମସ୍ୟା ରହୁଛି ସେଥି ପ୍ରତି ଦୃଷ୍ଟିପାତ କରିବାକୁ ଉପସ୍ଥିତ ରେଳ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା।ଏହି ସବୁ ସମସ୍ୟାର ସମାଧାନ ରେ ଯଦି କେହି ଖିଲାପ କରନ୍ତି ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତାଗିଦ କରିଥିଲେ।

Leave a Reply

Your email address will not be published. Required fields are marked *