ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ।

ଚଣ୍ଡିଖୋଲ, : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବଡ଼ଚଣା ଅଂଚଳରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଚାଷ ଜମି ଜଳମଗ୍ନ ହେବା ସହିତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ବଡଚଣା ବ୍ଲକରେ ୧୩ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ଜଣା ପଡ଼ିଛି। ଜୁଲାଇ ମାସରେ ଖରିପ୍ ଧାନ ଚାଷ ଆରମ୍ଭ ହେଉଥିବାରୁ ଏହି ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ପୂର୍ବରୁ ସ୍ୱଳ୍ପ ବର୍ଷା ଯୋଗୁ ଚାଷୀ ମାନେ ଧାନ ରୁଆ ପାଇଁ ତଳି ପକାଇ ପାରି ନ ଥିଲେ। ଫଳରେ ଚାଷ କାର୍ଯ୍ୟ ବିଳମ୍ବ ଘଟିଥିଲା। ମାତ୍ର ଚାରିଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଚାଷ ଜମି ଜଳମଗ୍ନ ହୋଇଛି। ଜଳ ନିଷ୍କାସନ ନ ହେବା ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିବ ନାହିଁ।ଚଣ୍ଡିଖୋଲ ଛକ ଠାରୁ ଛତିଆ ପର୍ଯ୍ୟନ୍ତ ୧୬ ନମ୍ୱର୍ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ଥିବା ଜଳ ନିଷ୍କାସନ ପଥ କୁ ଅବରୋଧ କରିବା ଫଳରେ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଚାଷ ଜମି ଜଳମଗ୍ନ ହେବା ସହିତ ଫସଲ ନଷ୍ଟ ହେଉଛି। ଏଥି ସହିତ ତୃଟି ପୂର୍ଣ୍ଣ ନକ୍ସା ଯୋଗୁ ଚଣ୍ଡିଖୋଲ ଛକର ବିଭିନ୍ନ ସ୍ଥାନରେ ଦୋକାନୀ ମାନେ ଜଳବନ୍ଦୀ ହେବା ସହିତ ଯାତାୟାତ ରେ ଅସୁବିଧା ହେଉଛି। ବିଶେଷ କରି ଡ୍ରେନ ଗୁଡିକରେ ବର୍ଯ୍ୟବସ୍ତୁ ଭର୍ତ୍ତି ହୋଇଥିବା ଯୋଗୁ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହେଉଛି। ବର୍ଷା ପୂର୍ବରୁ ଯଦି ଡ୍ରେନ୍ ସଫା କରା ନ ଯାଏ ତାହାହେଲେ ଚଣ୍ଡିଖୋଲ ଛକ ଅବସ୍ଥା ବେହାଲ ହେବ। ତେବେ ଏହି ଲଘୁଚାପ ବର୍ଷା ଫଳରେ ବଡ଼ଚଣା ପଂଚାୟତ, ବନ୍ତଳା, ଖଇରା, ଛତିଆ, ସୂଂଗୁଡା, ଧାନମଣ୍ଡଳ, ଶାନ୍ତିପୁର, ବଡଘୁମୁରି, ରାଧାଦେଇପୁର, ବନ୍ଦାଳୋ, ସୋଲର, ଚମ୍ପାପୁର, ନେଳିଆ ଆଦି ପଂଚାୟତର ଅନେକ ଚାଷ ଜମିରେ ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *