‘ସମାଧାନ ସମାରୋହ ୨୦୨୬’ ଉପରେ କର୍ମଶାଳା

କଟକ : ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ବୁଧବାର ଦିନ ଓଡିଶା ଜୁଡିସିଆଲ ଏକାଡେମୀ ଠାରେ ‘ସମାଧାନ ସମାରୋହ ୨୦୨୬’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ ହରିଶ ଟଣ୍ଡନ ଅନୁଷ୍ଠାନିକ ଭାବରେ ‘ସମାଧାନ ସମାରୋହ ୨୦୨୬’ କର୍ମଶାଳାକୁ ଉଦଘାଟନ କରିଥିଲେ। ବିଭିନ୍ନ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ଏଭଳି ସମାଧାନ ସମାରୋହ ବା ଲୋକ ଅଦାଲତର ଆୟୋଜନ କରାଯାଇଛି। ଗତ ଏପ୍ରିଲ ମାସ ୨୧ ତାରିଖ ଦିନ ସୁପ୍ରିମକୋର୍ଟ ପକ୍ଷରୁ ପାରିବାରିକ ବିବାଦର ସମାଧାନ, ଦୁର୍ଘଟଣା କ୍ଷତିପୂରଣ, ଚେକ ବାଉନ୍ସ, ଜମିଜମା ଅଧିଗ୍ରହଣ, ଫୌଜଦାରୀ ମାମଲା, ଶ୍ରମିକ ବିବାଦ ଆଦି ବିଷୟକୁ ନେଇ ସ୍ଵତନ୍ତ୍ର ଲୋକ ଅଦାଲତ ଆରମ୍ଭ କରାଯାଇଥିଲା। ଏପ୍ରିଲ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ଲୋକ ଅଦାଲତ ଆସନ୍ତା ଅଗଷ୍ଟ ୨୧,୨୨ ଏବଂ ୨୩ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇ ବିବାଦୀୟ ମାମଲା ଗୁଡିକର ବିଚାର କରାଯିବ। ଏହି ସ୍ଵତନ୍ତ୍ର ଲୋକ ଅଦାଲତର ମୁଖ୍ୟ ଲକ୍ଷ୍ୟ ହେଉଛି ଉଭୟପକ୍ଷ ମଧ୍ୟରେ ମାମଲାଗୁଡିକ ବିଚାର କରାଯାଇ ଏହାର ସମାଧାନ କରାଯିବ। ଆଜି ଜୁଡିସିଆଲ ଏକାଡେମୀ ଠାରେ ଅନୁଷ୍ଠିତ ‘ସମାଧାନ ସମାରୋହ ୨୦୨୬’ କର୍ମଶାଳାରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ସମାଧାନ ସମାରୋହ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡ: ଭାଗ୍ୟଲକ୍ଷ୍ମୀ ରଥ ସ୍ଵାଗତ ଭାଷଣ ଦେଇଥିଲେ। ଓଡିଶା ହାଇକୋର୍ଟ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ ରାମକୃଷ୍ଣ ମହାପାତ୍ର ଏବଂ ହାଇକୋର୍ଟର ମୁଖ୍ୟ ପ୍ରଶାସନିକ ପ୍ରାକ୍ତନ ଚେୟାରମ୍ୟାନ ଜଷ୍ଟିସ ମାନସ ରଞ୍ଜନ ପାଠକ ସମାଧାନ ସମାରୋହ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର କେତେକ ବିଚାରପତି, ବରିଷ୍ଠ ଆଇନଜୀବୀଗଣ ଏବଂ ଆଇନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *