

◆ ମହିଳା ସଶକ୍ତିକରଣ ଓ ନାରୀ ଶକ୍ତିର ବିକାଶ ପାଇଁ ସବୁବେଳେ କାମ କରୁଛି ସିଏମସି – ମେୟର ସୁବାସ ସିଂହ
◆ ୨୦ ଓ୍ବାର୍ଡର ୨୦୦ ଝିଅଙ୍କୁ ଦିଆଗଲା ୨ ଲକ୍ଷ ଟଙ୍କାର କୁପନ୍
◆ ଓଡ଼ିଶାର ପ୍ରତିଷ୍ଠିତ ୫ ମହିଳାଙ୍କୁ ସ୍ବତନ୍ତ୍ର ସମ୍ମାନ
◆ ଜିଲ୍ଲାପାଳ ଓ କମିଶନରଙ୍କୁ ସମ୍ବର୍ଦ୍ଧିତ କଲେ ମେୟର
◆ ପିଏମ୍ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ସୋଲାର ଦିଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାଲିମ ନେଇଥିବା ଏସଏଚଜି ମହିଳାଙ୍କୁ ପ୍ରମାଣପତ୍ର ବଣ୍ଟନ
◆ କଳା କୁଞ୍ଜରେ ରବି ରଥଙ୍କ ଚିତ୍ରକଳା କର୍ମଶାଳାରେ ଶହ ଶହ ଛାତ୍ରଛାତ୍ରୀ ସାମିଲ
◆ ପାଠକ ପ୍ରାଙ୍ଗଣରେ ଜମିଲା କବି, ସାହିତ୍ୟିକ ଓ ପାଠକଙ୍କ ଭିଡ଼
◆ ଓଡ଼ିଶାର ଜଣେବି ଝିଅ ଯେମିତି ପାଣିରେ ନବୁଡିଯିବ ସେଥିପାଇଁ ଆମର ନିରନ୍ତର ପ୍ରୟାସ – ଅନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସ
◆ ଓଡ଼ିଶାର ୨୦ ଜଣ ମହିୟସୀ ମହିଳାଙ୍କ ଫଟୋ ପ୍ରଦର୍ଶନୀ
◆ ବର୍ଣ୍ଣାଳୀ ହୋତାଙ୍କ ଉଠ କଙ୍କାଳ ଗୀତରେ ଝୁମିଲେ ଦର୍ଶକ
◆ ସ୍ବାସ୍ଥ୍ୟ ସଚେତନତା ଓ ଏଚପିଭି ଭ୍ୟାକସିନ୍ ପାଇଁ ସ୍ବତନ୍ତ୍ର କ୍ୟାମ୍ପ
କଟକ, ୧୪|୦୬: କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଛି ରଜ ମହୋତ୍ସବ-୨୦୨୬। ପହିଲି ରଜରେ କଟକ- ଇନ୍- କଟକରେ ଜମିଛି ନାଚ, ଗୀତ ସାଙ୍ଗକୁ ଦୋଳି ଖେଳ, ପାନ, ପିଠା ଓ ମିଠାର ପସରା। ମହିଳା ସଶକ୍ତିକରଣ ଓ ନାରୀ ଶକ୍ତିର ବିକାଶ ପାଇଁ ସିଏମସି ସର୍ବଦା ତତ୍ପର ବୋଲି ପ୍ରଥମ ଦିନର ଅଧିବେଶନରେ ଉଲ୍ଲେଖ କରିଥିଲେ ମେୟର ସୁବାସ ସିଂହ। ବସ୍ତି ଅଞ୍ଚଳର ଝିଅମାନେ କିଭଳି ରାଜ୍ୟର ପ୍ରତିଷ୍ଠିତ ଓ ପ୍ରତିଭାବାନ୍ ଲୋକଙ୍କ ପାଖରୁ ପ୍ରେରଣା ପାଇ ଉଚ୍ଚଶିକ୍ଷା ସହ ସେମାନଙ୍କ ଜୀବନକୁ ଅଧିକ ସଫଳ କରିବେ ଏହା ହିଁ ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ।
ପ୍ରଥମ ଦିନରେ ରାଜ୍ୟର ୫ ଜଣ ପ୍ରତିଷ୍ଠିତ ମହିଳାଙ୍କୁ ସମ୍ମାନୀତ କରାଯାଇଥିଲା। ବିଶିଷ୍ଚ ଗବେଷିକା ତଥା ଅଧ୍ୟାପିକା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା, ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍ ମିନତୀ ମହାପାତ୍ର, ବିଶିଷ୍ଟ ଚିକିତ୍ସକ ତଥା ଲେଖିକା ଡ଼କ୍ଟର ସରୋଜୀନି ଷଡ଼ଙ୍ଗୀ, ଆକାଶବାଣୀ କଟକର ପୂର୍ବତନ ସହ ନିର୍ଦ୍ଦେଶିକା ତଥା ବିଶିଷ୍ଚ କଣ୍ଠଶିଳ୍ପୀ ଡକ୍ଚର ସୁମିତ୍ରା ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କର ଜୀବନ କାହାଣୀ ଏବଂ ସଫଳତାର ରାସ୍ତା କେତେ ସଂଘର୍ଷପୂର୍ଣ୍ଣ ଥିଲା ତାହା ସେମାନେ ବର୍ଣ୍ଣନା କରିଥିଲେ।
ମୌଲାନା ଆଜାଦ୍ ଜାତୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟର ରୋବଟିକ୍ସ ବିଭାଗର ଛାତ୍ରମାନେ ରୋବର୍ଟର ବ୍ୟବହାର ଓ ବର୍ତ୍ତମାନ ସମାଜରେ ଏହାର ଜରୁରୀ ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରଫେସର ଖଦିଜା ସଜଦା ଖନମ୍ ଏହାର ଡିଜାଇନ୍ କରିଥିଲେ।
ଏହାପରେ ଓଡ଼ିଶା ଗୀତି କବି ସମାଜ ପକ୍ଷରୁ ମହିଳା କବିମାନେ କବିତା ପାଠ କରିଥିଲେ। ୨୦ଟି ଓ୍ବାର୍ଡର ୨୦୦ ଜଣ ଝିଅଙ୍କୁ ସିଏମସି ପକ୍ଷରୁ ୧୦୦୦ ଟଙ୍କା ଲେଖାଏଁର କୁପନ୍ ପ୍ରଦାନ କରାଯାଇଥିଲା। ଏହାସହିତ ଡିଅନ୍ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କୁ ସେଫଟି ଓ ସାନିଟାରୀ କିଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।
ପିଏମ୍ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ସୋଲାର ଦିଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାଲିମ ନେଇଥିବା ଏସଏଚଜି ମହିଳାଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ରଜ ମହୋତ୍ସବରେ କଳା କୁଞ୍ଜରେ ବିଶିଷ୍ଟ ଚିତ୍ରକର ରବି ରଥଙ୍କ ଚିତ୍ରକଳା କର୍ମଶାଳାରେ ଶହ ଶହ ଛାତ୍ରଛାତ୍ରୀ ସାମିଲ ହୋଇ ବିଭିନ୍ନ ଚିତ୍ର ଓ କ୍ରାଫ୍ଚ କରିଥିଲେ। ପାଠକ ପ୍ରାଙ୍ଗଣରେ ଜମିଥିଲା କବି, ସାହିତ୍ୟିକ ଓ ପାଠକଙ୍କ ଭିଡ଼ ।
ଅପରାହ୍ନରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗ ଦେଇଥିଲେ। ମେୟର ସୁବାସ ସିଂହ ତାଙ୍କୁ ସମ୍ମାନୀତ କରିଥିଲେ। ଏହାପରେ ଅନ୍ତର୍ଜାତୀୟ ସମୁଦ୍ର ବୁଡାଳି ସବୀର ବକ୍ସଙ୍କ ଦ୍ବାରା ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଶାର ଜଣେବି ଝିଅ ଯେମିତି ପାଣିରେ ନବୁଡିଯିବ ସେଥିପାଇଁ ଆମର ନିରନ୍ତର ପ୍ରୟାସ ବୋଲି ସବୀର ବକ୍ସ ଉଲ୍ଲେଖ କରିଥିଲେ। କଟକର ବିଭିନ୍ନ ନାଟ୍ୟ ସଂସ୍ଥା ଓ ପ୍ରତିଭାବାନ୍ କଳାକାରମାନେ ସେମାନଙ୍କର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ଶେଷରେ ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ଉଠ କଙ୍କାଳ ଗୀତରେ ଝୁମିଥିଲେ ଦର୍ଶକ।
ଏହି ମହୋତ୍ସବରେ ନିଶୁଳ୍କରେ ପିଠା ଓ ପାନ ସହ ଭ୍ୟାକସିନ୍ ପ୍ରଦାନ କରାଯାଉଛି। ସ୍ବାସ୍ଥ୍ୟ ସଚେତନତା ଓ ଏଚପିଭି ଭ୍ୟାକସିନ୍ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଏହି ମହୋତ୍ସବ ଆଗାମୀ ଶେଷ ରଜ ଯାଏଁ ଚାଲିବ।