
କଟକ : କଟକର ଏକ ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଆଜି ରବିବାର ଠାରୁ ତିନିଦିନ ବ୍ୟାପୀ ରଜ ମହୋତ୍ସବ ଆରମ୍ଭ ହୋଇଛି। ଶିକ୍ଷାବିତ୍ ପ୍ରଦୀପ ମହାନ୍ତି ଅନୁଷ୍ଠାନିକ ଭାବରେ ସୁର ମନ୍ଦିରର ୨୯ତମ ରଜ ମହୋତ୍ସବକୁ ଉଦଘାଟନ କରି କହିଲେ ରଜ ଓଡିଶାର ଏକ ପାରମ୍ପରିକ କୃଷିଭିତ୍ତିକ ପର୍ବ। ଏହି ପର୍ବକୁ କୁମାରୀ ଠାରୁ ଆରମ୍ଭ କରି ଯୁବକ, ଯୁବତୀ ସମସ୍ତେ ମିଳିମିଶି ପାଳନ କରନ୍ତି। କୁମାରୀମାନେ ରଜ ଦୋଳି ଖେଳି ରଜ ପର୍ବର ଆନନ୍ଦ ନିଅନ୍ତି। ସୁର ମନ୍ଦିର ସାଂସ୍କୃତିକ ଅନୁଷ୍ଠାନ ରଜର ପରମ୍ପରାକୁ ବଜାୟ ରଖିଛନ୍ତି। ସଞ୍ଜୀବ ଦାସ, ମନିକାନ୍ତ ନାୟକ ଏବଂ କଳାବିକାଶ କେନ୍ଦ୍ରର ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି ଅତିଥି ଭାବରେ ରଜ ପର୍ବର ପରମ୍ପରା ଉପରେ ଗୁରୁତ୍ଵ ଦେଇଥିଲେ। ଚଳିତ ବର୍ଷ ସୁର ମନ୍ଦିର ପକ୍ଷରୁ ନୃତ୍ୟ ଗୁରୁ ଭାଗିରଥୀ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରଯାଇଥିଲା। ଏହା ବ୍ୟତୀତ ସୁଚିଶ୍ମିତା ମନ୍ତ୍ରୀ ଓ ମେଘନା ମିଶ୍ରଙ୍କୁ “ପ୍ରିୟ ଓଡ଼ିଆଣୀ” ସମ୍ମାନ ଏବଂ ଡ. ସ୍ନେହପ୍ରଭା ସାମନ୍ତରାୟଙ୍କୁ “ଉଷାରାଣୀ ସମ୍ମାନ” ରେ ସମ୍ମାନୀତ କରାଯାଇଥିଲା। ପ୍ରଥମ ଦିବସରେ ବେଙ୍ଗାଲୁରୁର ନୃତ୍ୟାନ୍ତର ଗ୍ରୁପ୍, କଲିକତାରୁ ଶାଶ୍ୱତୀ ଗରାଇ ଘୋଷ ଏବଂ କଟକରୁ ମୀରାଦାସ ଓ ଗୁଞ୍ଜନ ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା ସୁରମନ୍ଦିରର କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସୁର ମନ୍ଦିରର ସମ୍ପାଦିକା ଜ୍ୟୋତ୍ସ୍ନା ସାହୁ ସମସ୍ତଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଚଣ୍ଡୀ ପରିଜା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା।