
ରାଜଗାଙ୍ଗପୁର , (କ.ବ୍ୟୁ) ୧୨ ଜୁନ ୨୦୨୬: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡ ଏହା ଘୋଷଣା କରି ଗର୍ବିତ ଯେ, ଏହାର ଓଡିଶାର ରାଜଗାଙ୍ଗପୁରସ୍ଥିତ ଡାଲମିଆ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ (ଆଇଟିଆଇ)କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗିକତା ମନ୍ତ୍ରଣାଳୟ (ଏମଏସଡିଇ) ଦ୍ୱାରା ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପରିଚାଳିତ ଅଲ୍ ଇଣ୍ଡିଆ ଆଇଟିଆଇ ଗ୍ରେଡିଂରେ ଭାରତର ଏକ ନମ୍ବର ବେସରକାରୀ ଆଇଟିଆଇର ମାନ୍ୟତା ଦିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ଦେଶର ମୋଟ ୧୪୬୧୭ଟି ସରକାରୀ ଓ ବେସରକାରୀ ଆଇଟିଆଇଗୁଡିକ ମଧ୍ୟରେ ୨ୟ ସ୍ଥାନରେ ରହିବା ସହ ୧୦ରୁ ୯.୭ର ଏକ ଉଲ୍ଲେଖନୀୟ ସ୍କୋର ହାସଲ କରିଛି। ଏହି ନୂତନ ସ୍ୱୀକୃତି ଶିକ୍ଷାନୁଷ୍ଠାନର ଉତ୍କର୍ଷତାର ମଜବୁତ ଟ୍ରାକ ରେକର୍ଡ ଯୋଗୁଁ ସମ୍ଭବ ହୋଇଛି, ଯାହା ପୂର୍ବରୁ ୨୦୨୪-୨୫ଆର୍ଥିକ ବର୍ଷରେ ଭାରତରେ ବେସରକାରୀ ଆଇଟିଆଇଗୁଡିକ ମଧ୍ୟରେ ୨ୟ ସ୍ଥାନରେ ରହିଥିଲା । ଚଳିତ ବର୍ଷ ଶୀର୍ଷ ସ୍ଥାନକୁ ଏହାର ଉତ୍ଥାନ ଗୁଣାତ୍ମକ ତାଲିମ, ଶିଳ୍ପ ପ୍ରାସଙ୍ଗିକତା ଓ ଶିକ୍ଷାର୍ଥୀଙ୍କ ସଫଳତା ଉପରେ ଏକ ସ୍ଥାୟୀ ଗୁରୁତ୍ୱକୁ ପ୍ରତିଫଳନ କରୁଛି। ଏହି ଶିକ୍ଷାନୁଷ୍ଠାନ ଫିଟର, ଇଲେକ୍ଟ୍ରିସିଆନ, ମେକାନିଷ୍ଟ, ୱେଲ୍ଡର, କମ୍ପ୍ୟୁଟର ଅପରେଟର ଓ ପ୍ରୋଗ୍ରାମିଙ୍ଗ ଆସିଷ୍ଟାଂଟ (ସିଓପିଏ)ଏବଂ ସୋଲାର ଟେକ୍ନିସିଆନ ସମେତ ବିଭିନ୍ନ ଟ୍ରେଡରେ ବୈଷୟିକ ତାଲିମ ପ୍ରଦାନ କରୁଛି। ଏକ ଉଲ୍ଲେଖନୀୟ ସଫଳତାରେ ଗତ ଦୁଇ ବର୍ଷରେ ନାମ ଲେଖାଇଥିବା ୧୩% ପ୍ରାର୍ଥୀ ମହିଳା ଥିବା ବେଳେ ୮୪% ପ୍ରାର୍ଥୀ ଅନୁସୂଚିତ ଜନଜାତି (ଏସଟି) ସମୁଦାୟର ଥିଲେ।
ଏହି ସଫଳତାକୁ ପାଳନ କରିବା ପାଇଁ କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିରେ ଡିସିବିଏଲ ପକ୍ଷରୁ ଶିକ୍ଷାନୁଷ୍ଠାନର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା, ଯାହା ଏହି ଜାତୀୟ ସ୍ୱୀକୃତି ହାସଲ କରିବାରେ ସେମାନଙ୍କର ସାମୂହିକ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରିଛି। ଏହି ସଫଳତା ସମ୍ପର୍କରେ ଡିସିବିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ରାଜଗାଙ୍ଗପୁର, ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଛନ୍ତି, “ଏହି ସ୍ୱୀକୃତି ଡାଲମିଆ ଭାରତ ପାଇଁ ଏକ ଗୌରବମୟ ସଫଳତା ଏବଂ ଆମର ଛାତ୍ରଛାତ୍ରୀ, ପ୍ରଶିକ୍ଷକ ଓ ଶିଳ୍ପ ସହଯୋଗୀଙ୍କ ଉତ୍ସର୍ଗୀକୃତତାର ଏକ ପ୍ରମାଣ। ଭାରତର ଶୀର୍ଷ ବେସରକାରି ଆଇଟିଆଇ ଭାବେ ସ୍ଥାନିତ ହେବା, ଯୁବପିଢି, ବିଶେଷ କରି ମହିଳା ଓ ଅଣସଂରକ୍ଷିତ ସମୁଦାୟଗୁଡିକ ପାଇଁ ନିରନ୍ତର ସୁଯୋଗ ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି,ଏଥିସହିତ ଭାରତର ଦକ୍ଷତା ଇକୋସିଷ୍ଟମକୁ ମଜବୁତ କରୁଛି ଓ ଦେଶ ପାଇଁ ଏକ ଭବିଷ୍ୟତ-ପ୍ରସ୍ତୁତ କର୍ମବଳ ସୃଷ୍ଟି କରୁଛି।” ଭାରତ ଏହାର ଦକ୍ଷତା ଓ ଉତ୍ପାଦନ ଲକ୍ଷ୍ୟଗୁଡିକୁ ଆଗକୁ ବଢାଇବା ଜାରି ରଖିଥିବାରୁ, ଡାଲମିଆ ଭାରତ ଶିଳ୍ପ-ସମନ୍ୱିତ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରିବା ଏବଂ ଆସନ୍ତାକାଲିର ସୁଯୋଗଗୁଡିକ ପାଇଁ ସୁସଜ୍ଜିତ ଏକ କର୍ମବଳ ଗଠନ କରିବା ପାଇଁ ପ୍ରତିବଦ୍ଧ ରହିଛି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )