

◆ ରଜରୁ ଆରମ୍ଭ ହେବ ସିଏମସିର ଲାଲ୍ ବାକ୍ସ ସଚେତନତା ଅଭିଯାନ
◆ ବଦଳାଅ ନଜର, ବଦଳାଅ ପ୍ରଥା, ମଇଳା ନୁହେଁ ମହିଳା ସମ୍ମାନର କଥା
◆ ସାହିତ୍ୟ, ସଂସ୍କୃତି, ସଚେତନତା, ମନୋରଂଜନ ସହ ଜମିବ ଦୋଳି, ପାନ, ପିଠା ଓ ମିଠାର ସମ୍ଭାର
କଟକ, ୯/୬: କଟକ ମହାନଗର ନିଗମ ପକ୍ଷରୁ ଓଡ଼ିଶାର ଗଣ ପର୍ବ ରଜ ପର୍ବକୁ ଆସନ୍ତା ୧୪ ତାରିଖରୁ କଟକ ଇନ୍ କଟକରେ ବେଶ୍ ଧୁମ ଧାମରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥର ରଜରେ ସିଏମସିର ୫୯ଟି ଓ୍ବାର୍ଡର ୨୦୦ରୁ ଅଧିକ ବସ୍ତିର ପିଲା ସାମିଲ ହେବେ। ପାରମ୍ପରିକ ପର୍ବ ପାଳନ ସହ ସିଏମସି ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତଭାବେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଓ କମିଶନର ସୁଶ୍ରୀ କିରନଦୀପ କୌର ସହୋତା।
ପାରମ୍ପରିକ ରଜ ପାଳନ ସହିତ କଟକ ମହାନଗର ନିଗମ ଏଥର ଏକ ବଡ଼ କ୍ୟାମ୍ପେନ୍ ବା ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଯାହା କଟକର ସମ୍ମାନ ଓ ଗୌରବକୁ ଆଗକୁ ନେବାରେ ସହାୟକ ହୋଇପାରିବ। ପ୍ରତିଦିନ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡିରେ ସିଏମସି ପକ୍ଷରୁ ଏକ ସ୍ବତନ୍ତ୍ର ଲାଲ ବାକ୍ସ ( ରେଡ୍ ବକ୍ସ ) ରଖାଯିବ। ଏଥିରେ ମହିଳାମାନେ ସେମାନଙ୍କର ବ୍ୟବହୃତ ସାନିଟାରୀ ପ୍ୟାଡକୁ ସ୍ବତନ୍ତ୍ର ଭାବେ ଅଲଗା କରି ରଖିପାରିବେ। ଏହି ବର୍ଯ୍ୟବସ୍ତୁକୁ ସିଏମସି ପକ୍ଷରୁ ବୈଜ୍ଞାନିକ ପଦ୍ଧତିରେ ଇନସିନିରେସନ୍ କରି ନଷ୍ଟ କରାଯିବ। ମହିଳାମାନେ ସିଧାସଳଖ ଏହି ଲାଲ୍ ବାକ୍ସ ବ୍ୟବହାର କଲେ, ସଫେଇ କର୍ମଚାରୀ ମାନଙ୍କୁ ଆଉ ହାତରେ ଅଳିଆ ବାଛିବାକୁ ପଡ଼ିବ ନାହିଁ। ଯାହା ଫଳରେ ସେମାନେ ମାରାତ୍ମକ ସଂକ୍ରମଣରୁ ରକ୍ଷା ପାଇପାରିବେ। ଏଭଳି ଚିନ୍ତାଧାରାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ମଇଳା ନୁହେଁ, ମହିଳା ସମ୍ମାନର କଥା ଶୀର୍ଷକ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଜୁନ୍ ୧୪ ତାରିଖରୁ ରଜ ମହୋତ୍ସବ ୩ ଦିନ ଧରି ପାଳନ କରାଯିବ। ଦୈନିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠା ଅର୍ଜନ କରିଥିବା ମହିଳାମାନଙ୍କୁ ଏଥିରେ ସମ୍ମାନୀତ କରାଯିବ। ଚଳିତଥର ୫୯ଟି ଓ୍ବାର୍ଡର ୨୦୦ରୁ ଅଧିକ ବସ୍ତିର ଝିଅ ଓ ମହିଳା ମାନେ ଏହି ମହୋତ୍ସବରେ ସାମିଲ ହେବେ। ରଜରେ ଦୈନିକ ଏକାଧିକ କର୍ମଶାଳାର ଆୟୋଜନ କରାଯିବାକୁ ଲକ୍ଷ ରଖାଯାଇଛି। ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ଲୋକଙ୍କୁ ସଚେତନ କରାଇବେ। ସାଇବର ସିକ୍ୟୁରିଟି, ଆର୍ଥିକ ସଚେତନତା, ମାନସିକ ସ୍ବାସ୍ଥ୍ୟ, ଏଆଇ ଓ ରୋବୋଟିକ୍ସ ପ୍ରଭୃତି ବିଷୟରେ କର୍ମଶାଳାର ଆଯୋଜନ କରାଯିବ। ଏହାଦ୍ବାରା ସମାଜର ବିଭିନ୍ନ ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ।
ରଜ ହାଇଲାଇଟ୍ସ ( ୫ଟି ଜୋନର ବ୍ୟବସ୍ଥା )
୧. ରଜ ସଜବାଜ ପାଇଁ ୨ଟି ସ୍ବତନ୍ତ୍ର ସ୍ଥାନ ରହିବ। ଏଥିରେ ଅଳତା, ମେହେନ୍ଦୀ, ଫେସ୍ ଆର୍ଟ, ନେଲ୍ ଆର୍ଟ ପ୍ରଭୃତି ରହିବ। ମାଗଣାରେ ଝିଅମାନେ ଏଠାରେ ସଜ ହୋଇପାରିବେ ଏବଂ ଏକ ସ୍ଜତନ୍ତ୍ର ମେକଅପ୍ କର୍ମଶାଳାରେ ମଧ୍ୟ ସେମାନେ ଅଂଶଗ୍ରହଣ କରିପାରିବେ।
୨. ରଜ ଉପଲକ୍ଷେ ଏକାଧିକ ପିଠା ଓ ପାନ ଷ୍ଟଲ୍ ହେବ, ଲୋକଙ୍କୁ ମାଗଣାରେ ଏଠାରେ ପୋଡ଼ ପିଠା ଓ ପାନ ଦିଆଯିବ । ଏହାବାଦ୍ ୨୦ଟି ଖାଦ୍ୟ ଷ୍ଟଲ ରହିବ, ଲୋକମାନେ ସେଠାରୁ ମନପସନ୍ଦର ପିଠା ଓ ଭଳିକି ଭଳି ପାରମ୍ପରିକ ଖାଦ୍ୟ କିଣି ଖାଇପାରିବେ।
୩. ଓଡ଼ିଶାର ପ୍ରେରଣାଦାୟୀ ମହିଳା ମାନଙ୍କର ଏକ ପ୍ରଦର୍ଶନୀ ରହିବ। ଏଥିରେ ନନ୍ଦିନୀ ଶତପଥିଙ୍କ ଠାରୁ ଆରମ୍ଭ କରି ରମାଦେବୀ, ମାଳତୀ ଚୌଧୁରୀ, କୁନ୍ତଳା କୁମାରୀ ସାବତ, ତୁଳସୀ ମୁଣ୍ଡା, ପାର୍ବତୀ ଘୋଷ, କଳ୍ପନା ଦାସ, ସଂଯୁକ୍ତା ପାଣିଗ୍ରାହୀ, ଦ୍ରୌପଦୀ ମୁର୍ମୁ ଏମିତି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଫଟୋ ଓ ଲେଖା ସାମିଲ ହେବ।
୪. ଏକ ସ୍ବତନ୍ତ୍ର ସାରସ୍ବତ ଜୋନ୍ ରହିବ। ଏଥିରେ ଓଡ଼ିଶାର ମହିଳା ଲେଖିକାମାନଙ୍କର ପୁସ୍ତକ ରହିବ। ପୁସ୍ତକ ପଢିବା ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ରହିବ। ଦୈନିକ କବିତା ପାଠ ଉତ୍ସବ, ଗଳ୍ପ ଓ କାହାଣୀ ପାଠ, ଶିଶୁ ସାହିତ୍ୟ ପ୍ରଭୃତି ଆଲୋଚନା ପାଇଁ ଏକ ନିର୍ଦ୍ଦିଷ୍ଟ ଜୋନର ବ୍ୟବସ୍ଥା କରାଯାଇଛି। ସାହିତ୍ୟିକମାନେ ଏଠାରେ ପାଠକଙ୍କୁ ମଧ୍ୟ ସାକ୍ଷାତ କରିପାରିବେ।
୫. ସ୍କୁଲ ଛାତ୍ରଛାତ୍ରୀ ତଥା ପିଲାଙ୍କ ପାଇଁ ଗୋଟିଏ ଆର୍ଟ ଗ୍ୟାଲେରୀ ବ୍ୟବସ୍ଥା କରାଯାଇଛି। ଏଥିରେ କୁନି କୁନି ପିଲାମାନେ ଆର୍ଟ ଏଣ୍ଡ କ୍ରାଫ୍ଟ ଶିଖି ପାରିବେ। ଲାଇଭ୍ ଆର୍ଟ ମଧ୍ୟ ରହିବ। ଟୋଟ୍ ବ୍ୟାଗ୍ ପେଣ୍ଟିଂ, ବିଭିନ୍ନ ପ୍ରସଙ୍ଗରେ ପିଲାଙ୍କୁ ଏଠାରେ ଆର୍ଟ ତାଲିମ ଦିଆଯିବ।
ଦୈନିକ ସକାଳେ ଏକ ସଭା ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ସହିତ କର୍ମଶାଳାର ଆୟୋଜନ କରାଯିବାକୁ ଲକ୍ଷ ରଖାଯାଇଛି। ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ମହିଳାମାନଙ୍କୁ ଏଥିରେ ସମ୍ମାନୀତ କରାଯିବ।
ସବୁଦିନ ଅପରାହ୍ନରୁ ଆରମ୍ଭ ହେବ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ। ଆମ ସହରର ପ୍ରତିଭାବାନ ପିଲା ବା ଟ୍ରୁପ ମାନେ ମଞ୍ଚରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ। ଦୈନିକ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ଲକ୍ଷ ରଖାଯାଇଥିବା ମେୟର ଶ୍ରୀ ସିଂହ ମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାନିଟେସନ୍ ବିଭାଗର ଡେପୁଟି କମିଶନର ଜୁବୁଲି ଚରଣ ବେହେରା ଓ ଅସିଣ୍ଟାଣ୍ଟ କମିଶନର ସ୍ବାତୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।