


ବାରିପଦା,୫/୬ (କ ବ୍ୟୁ) : ଜୁନ୍ ୫ ତାରିଖ ବିଶ୍ଵ ପରିବେଶ ଦିବସ ଅବସରରେ ବାରିପଦା ପୌରପାଳିକା ଅନ୍ତର୍ଗତ ୨୨ ନମ୍ବର ୱାର୍ଡ ରଘୁନାଥପୁର ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ (ଏଫଏସଟିପି) ପରିସରରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଫାଉଣ୍ଡେସନ କେୟାର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ “ଶ୍ରଦ୍ଧା ସବୁରୀ” ଏଏଲଏଫ୍ ଦଳର ସହଯୋଗରେ ସକାଳ ୮:୩୦ ସମୟରେ ଏହି ଜନସଚେତନତା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ଏଥିରେ ବିଏଫସିସିଟିର ଚେୟାରପର୍ସନ ଶ୍ରୁତି ରାଉତରାୟ ଏବଂ ସଦସ୍ୟା ଦୀପ୍ତିମୟୀ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହାସହ ଏଫଏସଟିପି ର ଲିଡ୍ କମଳା ବାଳା ବେହେରା ଓ ସମସ୍ତ କର୍ମଚାରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହ ଜଳସେଚନ କରିଥିଲେ। ଏହି ମହତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ସ୍ଵାଇଁ, ମନ୍ଦାକିନୀ ବେହେରା, ସୁନୀ ହାଁସଦାଃ, ଶିବାନୀ ସିଂ, ସୌଭାଗ୍ୟବତୀ ଭଞ୍ଜଦେଓ
ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ। ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ବୃକ୍ଷରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।