- ବରଷ କେ ଥରେ ଆସି ଥାଏ ଯେବେ
- ରଜର ପରବ ଦିନ ,
- କାହିଁକି କେଜାଣି ବେଶି ମନେ ପଡେ
- ମୋର ସେଇ ପିଲା ଦିନ ।୧।
- ପିଲା ଦିନେ କେତେ ସାଙ୍ଗ ସାଥି ମେଳେ
- ଆଜିତ ଯାଇଛି ବିତି,
- ରଜର ମଉଜ କେତେ ଯେ ଆନନ୍ଦ
- ହୋଇ ତ ରହିଚି ସ୍ମୃତି ।୨।
- ପହିଲି ରଜର ପୂର୍ବ ରୁ ତ କେତେ
- ହୋଇ ଥାଏ ସବୁ ସଜ,
- ନୂଆ ବସ୍ତ୍ର ସାଥେ ନୂଆ ଖାଦ୍ୟ ଦ୍ରବ୍ୟ
- ତା ସାଥେ କେତେଯେ ବାଜ ।୩।
- ରାତି ପାହାନ୍ତ। ରୁ ଆଇ ମା ଡ଼ାକାଇ
- ପିଲାଏ ହୁଅରେ ସଜ ,
- ବେଗି କାମ ସାର ଗଡି ଯିବ ବେଳ
- ଆଜିତ ପହିଲି ରଜ ।୪।
- ଗାଧୁଆ ତୁଠରେ ସାବୁନ ଅତର
- ଫାଟି ପଡୁଥାଏ ବାସ ,
- ଗାଁ ଝିଅ ବୋହୂ କେତେ ଥଟା ମଜା
- ଶୁଭେ ଖିଲି ଖିଲି ହସ ।୫।
- ଝିଅଙ୍କ ଫେଶନ ବଳି ପଡେ ବେଶି
- ଶାଢୀ ଚୁଡ଼ି ଅଳଙ୍କାର ,
- ମଥାରେ କୁଙ୍କୁମ ଚନ୍ଦନ ର ଟୀକା
- ପାଦରେ ଅଳତା ଗାର ।୬।
- ପୋଡ଼ ପିଠା ସାଥେ ମୁଡି ଓ ନଡ଼ିଆ
- କ୍ଷୀରି ତରକାରୀ କେତେ ,
- ସକାଳ ଖାଇବା କମିଯାଏ ସତେ
- ଭାଇ ଭଉଣୀ ଙ୍କ ସାଥେ ।୭।
- ଖରା ବରଷା କୁ ନଥାଏ ଖ।ତର
- ଜମି ଯାଏ ଦୋଳି ଖେଳ ,
- ଗାଁ ଗୋଟାକର ସବୁ ତକ ଝିଅ
- ସେଇଠି ହୁଅନ୍ତି ମେଳ ।୮।
- ଆମ୍ବ ତୋଟା ତଳେ ବରଗଛ ମୂଳେ
- ମେଲାଇ ଖେଳ ପସରା ,
- ଗୁଲି ଗିଲ ଖେଳ ବାଜି ବାଗୁଡ଼ି ରେ
- ବାଜଇ ଢୋଲ ନଗରା ।୯।
- ରଜ ଖିଲିପାନ ମୋହିନିଏ ମନ
- ଖାଇବାକୁ ନଭୂଳନ୍ତି ,
- ସାଙ୍ଗ ସାଥି ମେଳେ ବନ୍ଧୁ ବାନ୍ଧବ ରେ
- ରଜ ବୁଲି ଯାଇ ଥାନ୍ତି ।୧୦।
- ଆମ୍ବ ପଣସ କୁ କିଏସେ ପଚାରେ
- ଘରେ ଘରେ ଯେ ଆମିଷ ,
- ବରଷକେ ଥରେ ରଜର ପରବ
- ଖାଆନ୍ତି ଖାସି ମାଉଁସ ।୧୧।
- କାମ ଦାମ ପାଳି କେତେ ସରାଗରେ
- ରଜକୁ ସର୍ବେ ପାଳନ୍ତି ,
- ମନ ସରାଗ ରେ ବସୁମତୀ ପୂଜି
- ଚାଷ କାମରେ ଲାଗନ୍ତି ।୧୨।
- ରଜ କେଇ ଦିନ କିପରି କଟଇ
- ଜଣା ପଡ଼େ ନାହିଁ ଦିନ ,
- ପିଲାଦିନ ରଜ ଆଜିତ ପୁରୁଣା
- ଖାଲି ଯା ରହିଛି ମନ ।୧୩।
- ~~`~
- ସମୀର ରଞ୍ଜନ ଦାସ ।
- କଲ୍ୟାଣୀ କୁଟୀର (ଭିରଙ୍ଗ)
- ଏରସମା, ଜଗତସିଂହପୁର,
- ମୋ ୯୯୩୮୯୯୪୭୩୯