
କଟକ, ତା ୩.୦୬.୨୦୨୬ ରିଖ – ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ ଦ୍ଵାରା ପରିଚାଳିତ ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ୍) ୫.୦ ର ଜନ ସଚେତନତା କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ପ୍ରମୋଦ ହୋଟେଲ ଠାରେ ସୂକ୍ଷ୍ମ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ ବିଭାଗ ଅଧିନସ୍ତ କ୍ଷେତ୍ର ଗୁଡ଼ିକ ପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର ସମିତି ପକ୍ଷରୁ କଟକ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସହ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।ଏହି ଯୋଜନା ରାଜ୍ୟର ସୂକ୍ଷ୍ମ, କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ ଗୁଡ଼ିକ(ଏମଏସଏମଇ ୟୁନିଟ୍) ପାଇଁ ସ୍ୱଳ୍ପକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ।
ପଶ୍ଚିମ ଏସିଆ ସଙ୍କଟରୁ ଉପୁଜିଥିବା ସାମୟିକ ଆର୍ଥିକ ଅସନ୍ତୁଳନକୁ ଦୂର କରିବା ପାଇଁ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଋଣ ଗ୍ୟାରେଣ୍ଟି ନିମନ୍ତେ ଲକ୍ଷ୍ୟତ ପଦକ୍ଷେପ ଭାବେ ଏହି ଯୋଜନା ଆରମ୍ଭ କରାଯାଇଛି।ଏହାଦ୍ୱାରା ବିମାନ କ୍ଷେତ୍ରର ସଂସ୍ଥାଗୁଡ଼ିକ ସମେତ ଅଣଏମଏସଏମଇ ପାଇଁ ୯୦% ଏବଂ ଏମଏସଏମଇ ସଂସ୍ଥାଗୁଡ଼ିକ ପାଇଁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ପ୍ରୋତ୍ସାହନ ଦିଆଯାଇପାରିବ।
ଏହି ଯୋଜନା ଜରିଆରେ ଚଳନ୍ତି ପୁଞ୍ଜିର ବୃଦ୍ଧି ସହିତ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନର ଆର୍ଥିକ ଆହ୍ୱାନ, ବର୍ଦ୍ଧିତ ଖର୍ଚ୍ଚ ଏବଂ ବଜାର ଅନିଶ୍ଚିତତାକୁ ଦୂର କରିବାରେ ସହାୟତା ପାଇବେ। ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବାରେ ସାହାଯ୍ୟ କରିବ ଏବଂ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ।
କାର୍ଯ୍ୟକ୍ରମରେ ନିତିଶା ମାନ୍, ଯୁଗ୍ମ ନିର୍ଦ୍ଦେଶକ, ଏମଏସଏମଇ-ଡିଏଫଓ, କଟକ; ପ୍ରଣବ କୁମାର ବିଶ୍ୱାସ, ମହାପ୍ରବନ୍ଧକ ଏବଂ ସଂଯୋଜକ, ଏସଏଲବିସି ଓଡ଼ିଶା; ହୃଷୀକେଶ ସାୱନ୍ତ, ଉପ ମହାପ୍ରବନ୍ଧକ, ଏନସିଜିଟିସି; ବର୍ଷା, ଉପ ମହାପ୍ରବନ୍ଧକ, ୟୁକୋ ବ୍ୟାଙ୍କ; ସ୍ୱେତା ବେଲ୍ଲାରେ, ବରିଷ୍ଠ ପ୍ରବନ୍ଧକ, ଜନସମର୍ଥ ଏବଂ ପିଏସବି ଆଲାଏନ୍ସ; ମନୋଜ କୁମାର ମହାପାତ୍ର, ମହାପ୍ରବନ୍ଧକ, ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), କଟକ; ସତ୍ୟ ରଞ୍ଜନ ମହାନ୍ତି, ଲିଡ୍ ଜିଲ୍ଲା ପ୍ରବନ୍ଧକ, କଟକଙ୍କ ସମେତ ଓଡ଼ିଶାର ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ, ଶିଳ୍ପ ସଂଘ ଓ ଏମଏସଏମଇ ସଂଘର ପ୍ରତିନିଧି ତଥା ଏମଏସଏମଇ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ।