ବାରିପଦା/ଉଦଳା(କ: ବ୍ଯୁ)
ତା୦୨/୦୬/୨୦୨୬
ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ଦୀପ୍ତିମାନ ପାତ୍ରଙ୍କ ଦ୍ୱାରା ବରିଷ୍ଠ ସହାୟକ ଶ୍ରୀ ବ୍ରହ୍ମାନନ୍ଦ ନାଥ ଶର୍ମାଙ୍କ ପ୍ରତି କରାଯାଇଥିବା ନିର୍ଯାତନା, ଅସଦ୍ ବ୍ଯବ୍ଯବହାର ଏବଂ ଶାରୀରିକ ଆକ୍ରମଣର ପ୍ରତିବାଦରେ ଆଜି ରାତ୍ରି ୯.୦୦ ଘଟିକାରୁ ୧୦.୨୦ ଘଟିକା ପର୍ଯ୍ୟନ୍ତ ଏକ ଜରୁରୀକାଳୀନ ପ୍ରତିବାଦ ସଭା ସଂଘର ସଭାପତି ଶ୍ରୀ ଅଜିତ କୁମାର ରଣବାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ସଭାର ପ୍ରାରମ୍ଭରେ ଶ୍ରୀ ବ୍ରହ୍ମାନନ୍ଦ ନାଥ ଶର୍ମା ଘଟଣା ଦିନର ସମସ୍ତ ବିବରଣୀ, ତାଙ୍କୁ କରାଯାଇଥିବା ଦୁର୍ବ୍ୟବହାର, ମାଡ଼ ମାରିବା, ଗାଳିଗୁଲଜ ଏବଂ ଧମକ ଆଦି ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ପରବର୍ତ୍ତୀ ସମୟରେ ସର୍ବଶ୍ରୀ ସ୍ମୃତି ରଞ୍ଜନ ବେହେରା, ଜୟ ପ୍ରକାଶ, ଉପେନ୍ଦ୍ର ରାଉତରାୟ, ରଞ୍ଜନ ସା ଏବଂ ସୁଜନ ପାତ୍ର ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ଏହା ପରେ ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ମଧ୍ୟରେ ଶ୍ରୀମତୀ ଗୀତାଞ୍ଜଳି ପାତ୍ର, ଶ୍ରୀ ସମରେନ୍ଦ୍ର ପଣ୍ଡା ସହିତ ସମସ୍ତ କର୍ମଚାରୀ ନିଜ ନିଜର ମତାମତ, ପରାମର୍ଶ ଓ ଅଭିମତ ପ୍ରଦାନ କରିଥିଲେ।
ଦୀର୍ଘ ଆଲୋଚନା ପରେ ସଭାରେ ସର୍ବସମ୍ମତିକ୍ରମେ ନିମ୍ନଲିଖିତ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା
୧. ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀଙ୍କ ଦ୍ୱାରା ଶ୍ରୀ ବ୍ରହ୍ମାନନ୍ଦ ନାଥ ଶର୍ମାଙ୍କ ପ୍ରତି କରାଯାଇଥିବା ଅତ୍ୟାଚାର, ଅମାନବୀୟ ବ୍ୟବହାର ଓ ଶାରୀରିକ ଆକ୍ରମଣକୁ ସଭା ଦୃଢ଼ ଭାବରେ ନିନ୍ଦା କରିଛି।
୨. ଘଟଣାର ଗୁରୁତ୍ୱକୁ ବିଚାରକରି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ ଅଧିକାରୀ ନିଯୁକ୍ତ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବାରୁ ସଭା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହା ସହିତ ଯଥାଶୀଘ୍ର ତଦନ୍ତ ସମାପ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି।
୩. ଆସନ୍ତାକାଲି ତାରିଖ ୦୩.୦୬.୨୦୨୬ ଠାରୁ ୦୯.୦୬.୨୦୨୬ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କୋଷାଗାର କର୍ମଚାରୀ କଳା ବ୍ୟାଜ୍ (Black Badge) ପରିଧାନ କରି ପ୍ରତିବାଦ ଜଣାଇବେ ଏବଂ ମଧ୍ୟାହ୍ନ ବିରତି ସମୟରେ ପ୍ରତିବାଦ ସଭା, ସ୍ଲୋଗାନ ଓ ଗଣବିକ୍ଷୋଭ ମାଧ୍ୟମରେ ସଂଘର ଏକତା ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିବେ।
୪. ଯଦି ୭ ଦିନ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ତାରିଖ ୧୦.୦୬.୨୦୨୬ ରେ ପୁନର୍ବାର ସାଧାରଣ ସଭା ଆହ୍ୱାନ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ କଲମ ଛାଡ଼ ଆନ୍ଦୋଳନ (Pen Down Strike) ଆରମ୍ଭ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
୫. ନିରପେକ୍ଷ, ସ୍ୱଚ୍ଛ ଓ ପ୍ରଭାବମୁକ୍ତ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ କୋଷାଗାର ଅଧିକାରୀଙ୍କଠାରୁ ତତ୍କାଳ କାର୍ଯ୍ୟଭାର ପ୍ରତ୍ୟାହାର କରି ଅନ୍ୟ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ ସଭା ଦୃଢ଼ ଦାବି କରିଛି।
୬. ସଂଘର ଆନ୍ଦୋଳନକୁ ଅଧିକ ସୁଦୃଢ଼ ଏବଂ ସଫଳ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଏକତାବଦ୍ଧ ରହି ସଂଘର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବାକୁ ସଭା ଆହ୍ୱାନ ଜଣାଇଛି।
ଶେଷରେ ସଭାପତି ମହୋଦୟ ସମସ୍ତ କର୍ମଚାରୀଙ୍କୁ ସଂଘର ନିଷ୍ପତ୍ତିଗୁଡ଼ିକୁ ଶୃଙ୍ଖଳାବଦ୍ଧ ଭାବେ ପାଳନ କରିବା ଏବଂ କର୍ମଚାରୀଙ୍କ ମର୍ଯ୍ୟାଦା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏକଜୁଟ ରହିବାକୁ ଆହ୍ୱାନ ଦେଇଥିଲେ। ଧନ୍ୟବାଦ ଜ୍ଞାପନ ସହ ସଭା ସମାପ୍ତ ହୋଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)