ଏ ହୀନସ୍ତା ବଜାର

ନାହିଁ ତା’ର ହାତ-ଗୋଡ଼ ସେ ଚଳଚଞ୍ଚଳ
ପାହାଡ଼ ପରି ବିସ୍ତୃତ ଅଜଗର ବଳ
ଛାତି-ପିଠି ନାହିଁ କିନ୍ତୁ ଗୋଟେ ଖାଲି ପେଟ
ପୂରେ ନାହିଁ ସେହି ପେଟ ଯେତେ ଦେଲେ ଭାତ
ସେହି ପେଟ ଖଣି ପାଇଁ ସର୍ବଦା ଜାଗ୍ରତ
ସେହି ମିତ୍ର ତା’ର –
ଯିଏ ତା’ର ସେ ଖଣିରେ ଭରଇ ଆହାର ।

କର୍ଣ୍ଣ ଚକ୍ଷୁ ବନ୍ଧୁ ସାଥେ ଲହଲହ ଜିହ୍ବା
ମୁର୍ଗୀ ରାବ ଶୁଣି କର୍ଣ୍ଣ ବୋଲଇ ଚକ୍ଷୁକୁ
କଟାସ ରୂପେଣ ଜିହ୍ୱା ହୋଇ ଆବିର୍ଭାବ
ଶୋଷିନିଏ ମୁର୍ଗୀର ରକ୍ତକୁ
ଫିଙ୍ଗିଦିଏ ଅର୍ଦ୍ଧମୃତ ଦେହ ସେ ମୁର୍ଗୀର
ସେହି ରକ୍ତହୀନ ଦେହ ଦେଖି
ଡାମରା କୁଆସବୁ କରନ୍ତି ଚିତ୍କାର ।

ପଡ଼ଇ ଚହଳ ଦିଅଇ ଡାକରା କଚେରି
ଡେଣା ମେଲି ଶାଗୁଣାଟି ହସେ କିରିକିରି
କର୍ଣ୍ଣ କହେ ମୁଁ ବଧିର ଚକ୍ଷୁ କହେ ଅନ୍ଧ
ଶୁଣେନା’ ଦେଖେନା’ କିଛି ଦୁର୍ନୀତିର ଗନ୍ଧ
ଜାଣୁ ନାହିଁ ଦୁନିଆର କିଛି ଭଲମନ୍ଦ
ଆମେ ଖାଲି ପେଟର ଚାକର
ତଥାପି ଆମର ନୀତି ସମାଜ ସଂସ୍କାର ।

ନାହିଁ ତା’ର ନୀତି ପ୍ରୀତି କ୍ଷିପ୍ର ତା’ର ଗତି
ଆଇନର ବଳ ନାହିଁ ନାମ ତା’ ଦୁର୍ନୀତି
ବହୁରୂପୀ ରାକ୍ଷସ ସେ ବୁଲେ ନିରନ୍ତର
ରକ୍ତ ମାଂସ କରେ ପାନ ପଲ୍ଲୀରୁ ସହର
ବୋଲଇ ବଚନ ମଧୁର
ତଥାପି ତା’ ପାଇଁ ସଜେଇଛି ଫୁଲତୋଡ଼ା
ଏ ହୀନସ୍ତା ବଜାର !!

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
Mob. No. 9038397135

Leave a Reply

Your email address will not be published. Required fields are marked *