
ବାରିପଦା /ରାଇରଙ୍ଗପୁର( କ ବ୍ୟୁ )ତା୩୧/୦୫/୨୦୨୬ :
ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ “ପରିକ୍ରମା” ପକ୍ଷରୁ ଗତକାଲି ରାଇରଙ୍ଗପୁରସ୍ଥିତ ପିସିଏମ କଲ୍ୟାଣ ମଣ୍ଡପ ଠାରେ ମେଧା ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା ଯୋଗଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ବରେଣ୍ୟ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାକୁ ଶୁଭଉଦଘାଟନ କରିଥିଲେ। ନିମନ୍ତ୍ରିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ କେରଲା ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀ, ଚିନ୍ତକ ଓ ସମାଜ ସଂସ୍କାରକ ଇଂ ପ୍ରସନ୍ନ କୁମାର ସାହୁ, ସମାଜସେବୀ ଗୋପାଳ ବେଶ୍ରା, ରାଇରଙ୍ଗପୁର ଓକିଲ ସଙ୍ଘର ସଭାପତି ଶ୍ରୀ ଅକ୍ଷୟ ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ଅଭିଭାଷଣରେ ମେଧାବୀ ହେବା ସହ ଭଲ ମଣିଷଟିଏ ହୋଇପାରିଲେ ଜୀବନର ସାର୍ଥକତା ମିଳିପାରିବ ବୋଲି କହି ମାର୍ଗ ଦର୍ଶନ ଦେବା ସହ ଉଜ୍ଜଳ ଭବିଷ୍ୟତ କାମନା କରି ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ଈଶାନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ସମାରୋହରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ।
ଚଳିତ ବର୍ଷ, ସିବିଏସଇ, ଆଇସିଏସଇ ଓ ବିଏସଇଓ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ(ମ୍ୟାଟ୍ରିକ )ବାର୍ଷିକ ପରୀକ୍ଷାରେ ବାମନଘାଟି ଉପଖଣ୍ଡର କେନ୍ଦ୍ରୀୟ ବିଦ୍ୟାଳୟ,ମହୁଲଡିହା, ଲିଟିଲ ଫ୍ଲାୱାର ସ୍କୁଲ, ରିଚାର୍ଡ ମିଶନ ସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ, (ସାନମୌଦା, ପାସନା,ଜାମୀରଡିହା, ବହଳଦା ଓ ବଡଡାଳିମା ), ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କେରଲା ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରାଇରଙ୍ଗପୁର ଓ ବଡାମତଳିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଶତକଡା ୯୦ ପ୍ରତିଶତ ଓ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ୱର ରଖି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୪୧ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସ୍ମୃତି ଚିହ୍ନ, ମାନପତ୍ର ଓ ଗୋଟିଏ ଲେଖାଏଁ ଚାରା ବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ ବ୍ୟତୀତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର +୩ ବାଣିଜ୍ୟ(ସମ୍ମାନ)ରେ ଟପ୍ପର ହୋଇଥବା ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ରାମ ଏବଂ ରାଜ୍ୟର ଓଏଭି ସମୂହର +୨ ବାଣିଜ୍ୟରେ ଟପ୍ପର ହୋଇଥିବା ସାନମୌଦା ଓ ଏ ଭିର ଛାତ୍ରୀ ଦିଶା ସାହାଙ୍କୁ ମଧ୍ୟ ଅନୁରୂପ ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବରେଣ୍ୟ ଅତିଥି ବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରୀତି ଉପହାର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା।
କାର୍ଯ୍ୟକ୍ରମକୁ ରଞ୍ଜନ ନନ୍ଦ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ସୁବାସ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଦିଲ୍ଲୀପ ମହାନ୍ତି, ଦିଗମ୍ବର ଗିରି, ଦୁଷ୍ମନ୍ତ ଦାସ, କଟିଆ ପରିଛା, ରାଜେଶ ପ୍ରଜାପତି ଓ ପ୍ରଣବ ବେହେରା ପ୍ରମୁଖ ସହାୟତା କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)